ଓଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମାତୃଭାଷାର ଗୌରବ ଓ ସାହିତ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱ
ବାଲିପାଟଣା (ଓଡ଼ିଶ୍ରୀ ସମ୍ବାଦ): ସ୍ଥାନୀୟ ଶିଶୁ ଅନନ୍ତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁପ୍ରଭା ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଡଃ ସୁଜାତା କୁମାରୀ ସାହୁ, ଅଧ୍ୟାପିକା ଡଃ ଶସ୍ମିତା କୁମାରୀ ପାତ୍ର, ଶସ୍ମିତା ବେହେରା ଏବଂ ଅଧ୍ୟାପକ ଡଃ ଶରତ କୁମାର ବେହେରା ଯୋଗଦେଇଥିଲେ। ଅତିଥିମାନେ ଓଡ଼ିଆ ଭାଷା ଓ ସାହିତ୍ୟର ଗୌରବ, ସମୃଦ୍ଧି ଓ ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷା ପ୍ରତି ଆକୃଷ୍ଟ ହେବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ଓଡ଼ିଆ ବିଭାଗର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ସମସ୍ତଙ୍କ ମିଳିତ ଉଦ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
