ଚାରମାଳ (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ବ୍ଲକର ବଡନୂଆପଡା ଛକ ଦେଇ ଝାଙ୍କରପଡା ମାଧ୍ୟମରେ ବ୍ରହ୍ମପୁରା ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ (RD) ରାସ୍ତାର ଉନ୍ନତିକରଣ ଓ ଜରୁରୀ ମରାମତି ଦାବିରେ ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଦୀର୍ଘଦିନ ଧରି ରାସ୍ତାଟି ଶୋଚନୀୟ ଅବସ୍ଥାରେ ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବଡନୂଆପଡା ଛକରୁ ବ୍ରହ୍ମପୁରାକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ଦୈନିକ ବହୁ ଲୋକ ଓ ଗାଡ଼ିମୋଟର ନିର୍ଭର କରୁଛନ୍ତି। ଏହି ରାସ୍ତା ସ୍ଥାନୀୟ ଚାଷୀ, ଛାତ୍ରଛାତ୍ରୀ ଓ ରୋଗୀଙ୍କ ଯାତାୟାତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ତେବେ ଦୀର୍ଘଦିନ ଧରି ରାସ୍ତାର ପିଚୁ ଉଠିଯିବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ବର୍ଷା ସମୟରେ ଗାତଗୁଡ଼ିକରେ ପାଣି ଜମି ଯାତାୟାତ ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଥିବା ଅଭିଯୋଗ ହୋଇଛି। ଏହା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି।
ସମସ୍ୟାର ସ୍ଥାୟୀ ସମାଧାନ ସହ ରାସ୍ତାର ପ୍ରଶସ୍ତିକରଣ ଓ ପୁନରୁଦ୍ଧାର ପାଇଁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି। ରାସ୍ତାର ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି କରାଯାଇଛି।
ଆଗାମୀ ଦିନରେ ରାସ୍ତା ସଂସ୍କାର କାର୍ଯ୍ୟ ଆରମ୍ଭ ନହେଲେ ଅଞ୍ଚଳବାସୀ ବ୍ୟାପକ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ଝାଙ୍କରପଡା ଗ୍ରାମର ସତ୍ୟ ପ୍ରଧାନ, ବିକାଶ ପ୍ରଧାନ, ଲକ୍ଷ୍ମଣ ଷଣ୍ଢଙ୍କ ସମେତ ବହୁ ଗ୍ରାମବାସୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।
