ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ବକେୟା ବିଲ୍ ପାସ୍ କରିବା ଏବଂ ଅମାନତ ଜମା ଅର୍ଥ ଫେରସ୍ତ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାସ ଓ ତାଙ୍କ ସହଯୋଗୀ ସୋମନାଥ ସେଠୀଙ୍କୁ କଟକ ଭିଜିଲାନ୍ସ ଟିମ୍ ଧରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ ଅନ୍ତର୍ଗତ ଶାଳପଡ଼ା ପଞ୍ଚାୟତର ଏଣ୍ଡରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଗୃହ ନିର୍ମାଣ କାର୍ଯ୍ୟର ବକେୟା ବିଲ୍ ପାସ୍ ଏବଂ ଅମାନତ ଜମା ଅର୍ଥ ଫେରସ୍ତ ପାଇଁ ଠିକାଦାର ତୁଷାର ବିଶ୍ୱାଳଙ୍କଠାରୁ ୩୫ ହଜାର ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଥିଲା। ଟଙ୍କା ନଦେଲେ ବିଲ୍ ପାସ୍ କରାଯିବ ନାହିଁ ବୋଲି କୁହାଯାଇଥିବା ଠିକାଦାର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ କଟକ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା। ସୋମନାଥ ସେଠୀଙ୍କ ମାଧ୍ୟମରେ ୩୫ ହଜାର ଟଙ୍କା ଗ୍ରହଣ କରାଯାଉଥିବା ସମୟରେ ଭିଜିଲାନ୍ସ ଟିମ୍ ଟଙ୍କା ଜବତ କରିବା ସହ ଉଭୟଙ୍କୁ ଧରିଥିବା ସୂଚନା ମିଳିଛି।
ଏହାପରେ ବନ୍ଦିତା ଦାସଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠାବ ନେଇ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ଭିଜିଲାନ୍ସ ପକ୍ଷରୁ ମାମଲାର ଅଧିକ ତଦନ୍ତ ଜାରି ରହିଛି।
