ଜଳେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ନିଜକୁ ଆରଟିଓ ନିକଟତମ ବ୍ୟକ୍ତି ପରିଚୟ ଦେଇ ଲୋକଙ୍କଠାରୁ ଅର୍ଥ ଆଦାୟ ଏବଂ ନକଲି କାଗଜପତ୍ର ହସ୍ତାନ୍ତର କରୁଥିବା ଅଭିଯୋଗରେ ଜଳେଶ୍ୱର ପୁଲିସ ଶମ୍ଭୁ ସାହୁଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ନିକଟରେ ନକଲି ଆରଟିଓ ପରିଚୟ ଦେଇ କିଛି ଲୋକଙ୍କୁ କାଗଜପତ୍ର ହସ୍ତାନ୍ତର କରାଯାଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତଦନ୍ତ ବେଳେ ଶମ୍ଭୁ ସାହୁ ପୁଲିସର ସ୍କାନରରେ ଥିବା ଜଣାପଡ଼ିଥିଲା।
ତାଙ୍କ ନିକଟରୁ ପ୍ରିଣ୍ଟର, ଥର୍ମାଲ ରସିଦ ପ୍ରିଣ୍ଟର, କମ୍ପ୍ୟୁଟର, ମନିଟର, ସିପିୟୁ, କି-ବୋର୍ଡ, ମାଉସ୍, ୟୁପିଏସ୍, ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏଥିସହ ପଶ୍ଚିମବଙ୍ଗ ଆରଟିଓଙ୍କ ନାମରେ ୨୦ଟି ସନ୍ଦେହଜନକ ଫାଇନ୍ ରସିଦ, ୨ଟି ନକଲି ନୋଟାରୀ ସିଲ୍ ଓ ଷ୍ଟାମ୍ପ ଏବଂ ୧୫ଟି ସନ୍ଦେହଜନକ ସରକାରୀ ଷ୍ଟାମ୍ପ ପେପର ଜବତ କରାଯାଇଥିବା ପୁଲିସ କହିଛି।
ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ଦୁଇଜଣ ଫେରାର ଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ଗତ ୪ ଦିନ ମଧ୍ୟରେ ବିଭିନ୍ନ ଠକେଇ ଓ ଚାନ୍ଦା ଆଦାୟ ଘଟଣାରେ ୫ଟି ମାମଲା ରୁଜୁ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଳେଶ୍ୱର ପୁଲିସ ସୂଚନା ଦେଇଛି।
