ଫୁଲବାଣୀ, (ଓଡ଼ିଶ୍ରୀ ସମ୍ବାଦ): ଫୁଲବାଣୀର ଶିଶୁ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳଙ୍କ ସମ୍ପାଦିତ ଶିଶୁ ପତ୍ରିକା ‘ଫୁଲରାଣୀ’ ଭୁବନେଶ୍ୱରରେ ଲୋକାର୍ପିତ ହୋଇଛି। ରାଜଧାନୀର ଗୋଦାବରୀଶ ସାହିତ୍ୟ ସଂସଦ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ, କବି ଓ ଲେଖକମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସମ୍ପର୍କିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସମେତ ଅଧ୍ୟାପିକା ନୀଳିମା ନନ୍ଦ, ବିଭାବନାର ମୁଖ୍ୟ ଗଦାଧର ପାତ୍ର, ସମ୍ପାଦିକା ସଂଯୁକ୍ତା ମିଶ୍ର, ପତ୍ରିକାର ମାର୍ଗଦର୍ଶକ ବ୍ୟଙ୍ଗକବି ସତ୍ୟାନାଶ ଏବଂ ଶିଶୁ ସାହିତ୍ୟ ସଂଗଠକ ରାମଚନ୍ଦ୍ର ଦେଓଙ୍କ ସମେତ ଅନେକ ଅତିଥି ଯୋଗଦେଇଥିଲେ।
ମୁଖ୍ୟବକ୍ତା ଭାବେ ଢେଙ୍କାନାଳର ଅଧ୍ୟାପିକା ଡ. ମାନସୀ କର ଯୋଗଦେଇ ଶିଶୁ ସାହିତ୍ୟର ଗୁରୁତ୍ୱ ଏବଂ ଶିଶୁମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧିର ଆବଶ୍ୟକତା ଉପରେ ମତ ରଖିଥିଲେ। ମୋବାଇଲ୍ ଫୋନ୍ର ବ୍ୟବହାର କମାଇ ଶିଶୁମାନଙ୍କୁ ପୁସ୍ତକ ଓ ପତ୍ରିକା ପ୍ରତି ଆକୃଷ୍ଟ କରିବା ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ।
ଏହି ଅବସରରେ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ଉପସ୍ଥିତ କବି, ଲେଖକ ଓ ଶୁଭେଚ୍ଛୁମାନଙ୍କୁ ‘ଫୁଲରାଣୀ’ ପତ୍ରିକା ଉପହାର ଦେଇଥିଲେ। ଶିଶୁମାନଙ୍କୁ ସାହିତ୍ୟମୁଖୀ କରିବା ସହ ଓଡ଼ିଶାର ପରମ୍ପରା, ପର୍ବପର୍ବାଣି ଓ ସାହିତ୍ୟ ସମ୍ପର୍କରେ ସେମାନଙ୍କୁ ଜାଣିବାର ସୁଯୋଗ ଦେବାରେ ‘ଫୁଲରାଣୀ’ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
