ବରୀ, (ଓଡ଼ିଶ୍ରୀ ସମ୍ବାଦ): ସରକାର ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ବରୀ ବ୍ଲକରେ ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବୃକ୍ଷରୋପଣ ପରେ ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇନାହିଁ। ଅନେକ ସ୍ଥାନରେ ଚାରାକୁ ନିୟମିତ ପାଣି ଦିଆଯାଇନଥିବା ବେଳେ ସୁରକ୍ଷା ପାଇଁ ଲଗାଯାଇଥିବା ବାଡ଼ ମଧ୍ୟ ନଷ୍ଟ ହୋଇଯାଇଛି। ଫଳରେ ଗାଈଗୋରୁ ଚାରା ଖାଇ ନଷ୍ଟ କରିଦେଇଥିବା ଅଭିଯୋଗ ରହିଛି।
କେତେକ ସ୍ଥାନରେ ଚାରାଗୁଡ଼ିକ ଚାରିପଟେ ଅନାବନା ଲତା ଓ ଘାସ ମାଡ଼ିଯାଇଥିବାରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଥିବା ଦେଖାଯାଇଛି। ଏଥିସହ ବୃକ୍ଷରୋପଣ କାର୍ଯ୍ୟ ହୋଇଥିବା ସ୍ଥାନରେ ଆବଶ୍ୟକ ସୂଚନା ଫଳକ ଲଗାଯାଇନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ବୃକ୍ଷରୋପଣ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଚାରାର ରକ୍ଷଣାବେକ୍ଷଣ ନହେବା ଏବଂ ଯୋଜନାର ଉଦ୍ଦେଶ୍ୟ ପୂରଣ ନହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ଓ ତଦାରଖ କରାଯାଉନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ବୃକ୍ଷରୋପଣ କାର୍ଯ୍ୟରେ କେତେ ଅର୍ଥ ଖର୍ଚ୍ଚ ହୋଇଛି, କେତେ ଚାରା ରୋପଣ କରାଯାଇଛି ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ କି ପଦକ୍ଷେପ ନିଆଯାଇଛି, ସେନେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ବୃକ୍ଷରୋପଣ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରି ଅନିୟମିତତା ଥିଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ଦାବି ହୋଇଛି।
