ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତ ଅନ୍ତର୍ଗତ ଖରାଳି ଗ୍ରାମରେ ଥିବା ପୁରୁଣା ବାବା ଧବଳେଶ୍ୱର ଶିବ ମନ୍ଦିର ଓ ମା’ ଚଣ୍ଡୀ ମନ୍ଦିର ଅବ୍ୟବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହୋଇଛି। ପୁରାତନ ଶୈବପୀଠ ଭାବେ ପରିଚିତ ଏହି ମନ୍ଦିରକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରୁଥିବା ବେଳେ ମୌଳିକ ସୁବିଧାର ଅଭାବ ଯୋଗୁଁ ସେମାନେ ଅସୁବିଧାରେ ପଡ଼ୁଥିବା କୁହାଯାଇଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏଠାରେ ବହୁ ପୁରାତନ କାଳରୁ ଶିବଲିଙ୍ଗ ପୂଜା ପାଇ ଆସୁଛନ୍ତି। ବାବା ଧବଳେଶ୍ୱରଙ୍କ ସହ ମା’ ଚଣ୍ଡୀ, ଗଙ୍ଗାମାୟା, ବଜରଙ୍ଗବଳୀ, ଶନିଦେବ ଓ ଅନ୍ୟ ଦେବଦେବୀ ମଧ୍ୟ ପୂଜା ପାଉଛନ୍ତି। ପ୍ରତିବର୍ଷ ଶିବରାତ୍ରିରେ ଏଠାରେ ଶିବ ଓ ମା’ ଚଣ୍ଡୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।
ତେବେ ମନ୍ଦିରଟି ଦୀର୍ଘଦିନର ପୁରୁଣା ହୋଇଥିଲେ ମଧ୍ୟ ଏହାର ମରାମତି ଓ ପାରିପାର୍ଶ୍ୱିକ ବିକାଶ ହୋଇନଥିବାରୁ ଭକ୍ତମାନେ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ରହିଛି। ବର୍ଷା ସମୟରେ ଶ୍ରଦ୍ଧାଳୁଙ୍କ ଆଶ୍ରୟ ନେବା ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ଅସୁବିଧା ବଢ଼ୁଛି।
ମନ୍ଦିରରେ ନଳକୂପ ସ୍ଥାପନ, ଭୋଗମଣ୍ଡପ ନିର୍ମାଣ, ପୁରୁଣା ମନ୍ଦିରର ମରାମତି ସହ ପାରିପାର୍ଶ୍ୱିକ ଉନ୍ନୟନ କରିବାକୁ ସ୍ଥାନୀୟ ଲୋକ ଓ ଶତାଧିକ ଶ୍ରଦ୍ଧାଳୁ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।
ପୁରାତନ ଧାର୍ମିକ ପୀଠର ସୁରକ୍ଷା ସହ ଭକ୍ତମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବା ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
