ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଆସନ୍ତା ୮ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହ୍ୱାନ କରାଯାଇଥିବା ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ବଡ଼ଚଣାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଣ୍ଡିଖୋଲସ୍ଥିତ ବଡ଼ଚଣା ବ୍ଲକ କଂଗ୍ରେସ କମିଟି କାର୍ଯ୍ୟାଳୟରେ ବ୍ଲକ କଂଗ୍ରେସ କମିଟି ସଭାପତି ଚିନ୍ମୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏହି ବୈଠକ ହୋଇଥିଲା।
ଇଣ୍ଡିଆ ମେଣ୍ଟ ପକ୍ଷରୁ ଏମ୍ଏମ୍ଡିଆର୍ ଆମେଣ୍ଡମେଣ୍ଟ ଆଇନ, ୨୦୨୬ ପ୍ରତ୍ୟାହାର, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବି କରାଯାଇଛି। ଏହାସହ ଦରଦାମ ବୃଦ୍ଧି, ବନ୍ୟା ବିପନ୍ନଙ୍କୁ ସହାୟତା ଏବଂ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ମଧ୍ୟ ମେଣ୍ଟ ପକ୍ଷରୁ ଦାବି ଉଠାଯାଇଛି। ଏହି ଦାବିଗୁଡ଼ିକୁ ନେଇ ଅକ୍ଟୋବର ୮ରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି।
ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ତଥା ବଡ଼ଚଣା ବ୍ଲକ ପ୍ରଭାରୀ ନିରୁପମା ପାତ୍ର ବନ୍ଦକୁ ସଫଳ କରିବା ପାଇଁ ଯୁବ, ଛାତ୍ର, ମହିଳା, ଶ୍ରମିକ, କୃଷକ ଓ ବ୍ୟବସାୟୀମାନେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।
ବୈଠକରେ ନୃସିଂହ ଚରଣ ସାମଲ, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ପ୍ରବୀର ବଳ, ଯୁବ କଂଗ୍ରେସ ସଭାପତି ଜୟପ୍ରକାଶ ବିଶ୍ୱାଳ, ସୁମନ୍ତ କୁମାର ଜେନା, ଶିଶିର କୁମାର ସାମଲ, ଯୋଗେନ୍ଦ୍ର ରାଉତ, ନରେନ୍ଦ୍ର କୁମାର ମଲ୍ଲିକ ଓ ସନ୍ତୋଷ କୁମାର ମଲ୍ଲିକଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।
ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
