ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଧୀନ କୁର୍ଲୁବାହାଲ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ କଣ୍ଟାବାଞ୍ଜି ନିକଟସ୍ଥ ଚାଟୁଅନକା ଗ୍ରାମର ଚନ୍ଦ୍ର ବଏ (୫୬)। ସୂଚନା ଅନୁଯାୟୀ, ଚନ୍ଦ୍ର ବାଇକ ଯୋଗେ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିଲେ। କୁର୍ଲୁବାହାଲ ଛକ ନିକଟ ଶାଗୁଆନ ବଗିଚା ପାଖରେ ଗଛ ଲଦାଯାଉଥିବା ଏକ ଜେସିବି କ୍ରେନକୁ ସେ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ଚନ୍ଦ୍ର ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଖବର ପାଇ ମୁରିବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ପୁଲିସ ଦୁର୍ଘଟଣାର କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ତଦନ୍ତ ଆରମ୍ଭ କରିଛି।
