• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଇଣ୍ଡିଆ ମେଣ୍ଟର ଆହ୍ୱାନରେ ଫିରିଙ୍ଗିଆ ବ୍ଲକ ବନ୍ଦ

Byodishri Live

Oct 8, 2026

କନ୍ଧମାଳ, (ଓଡ଼ିଶ୍ରୀ ସମ୍ବାଦ): ଇଣ୍ଡିଆ ମେଣ୍ଟର ଆହ୍ୱାନ କ୍ରମେ ଆଜି କନ୍ଧମାଳ ଜିଲ୍ଲା ସମେତ ଫିରିଙ୍ଗିଆ ବ୍ଲକରେ ବନ୍ଦ ପାଳନ କରାଯାଉଛି। ସକାଳୁ ଫିରିଙ୍ଗିଆ ବ୍ଲକ ଛକରେ କଂଗ୍ରେସ ନେତା ଓ କର୍ମୀମାନେ ଟାୟାର ଜାଳି ପ୍ରତିବାଦ କରିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ବନ୍ଦ ଯୋଗୁଁ ବସ୍‌ ଚଳାଚଳ ଠପ୍‌ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ବନ୍ଦ ରହିଛି। ସମାଜବାଦୀ ପାର୍ଟି, ସିପିଏମ୍‌ ଓ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତାମାନେ ବନ୍ଦ ପାଳନରେ ସାମିଲ ହୋଇଛନ୍ତି।

ବନ୍ଦ ପାଳନରେ ବ୍ଲକ କଂଗ୍ରେସ ସଭାପତି କୃପାସିନ୍ଧୁ ବିଶୋଇ, ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଜିଲ୍ଲା କଂଗ୍ରେସ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦିଗାଲ, କିଷାନ ସେଲ୍‌ ସଭାପତି ମହେନ୍ଦ୍ର ମଲ୍ଲିକ, ୧୩ ନମ୍ବର ଜୋନ୍‌ ସଭାପତି ଗୋକୁଳ କହଁର, କ୍ରାଣ୍ଡିବାଲି ପଞ୍ଚାୟତ ଯୁବ ନେତା ସନ୍ତୋଷ କହଁର, କାଶିନିପଦର ପଞ୍ଚାୟତ ସଭାପତି କେଶବ ଦିଗାଲ, ୧୨ ନମ୍ବର ଜୋନ୍‌ ସଭାପତି ଭୀମସେନ କହଁର ଓ ୧୨ ନମ୍ବର ଜୋନ୍‌ ସାଧାରଣ ସମ୍ପାଦକ ମୃତ୍ୟୁଞ୍ଜୟ ଦିଗାଲଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି। ଜ୍ଞାନେଶ କୁମାରଙ୍କ ବରଖାସ୍ତ, ଏମ୍‌ଏମ୍‌ଡିଆର୍‌ ଆଇନ ରଦ୍ଦ, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଭଳି ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି।

ଫିରିଙ୍ଗିଆ ବ୍ଲକର ବିଭିନ୍ନ ଛକରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର କର୍ମୀମାନେ ପିକେଟିଂ କରିବା ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥିଲେ। ଫଳରେ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଥିଲା। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *