ଯାତ୍ରୀ ଓ ପରୀକ୍ଷାର୍ଥୀ ହନ୍ତସନ୍ତ, ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ସଜାଗ
ଦାରିଙ୍ଗବାଡ଼ି, (ଓଡ଼ିଶ୍ରୀ ସମ୍ବାଦ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ବ୍ୟାପକ ପ୍ରଭାବ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି। ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ ହେବାରୁ ଯାତ୍ରୀ ଓ ପରୀକ୍ଷାର୍ଥୀମାନେ ନାହିଁ ନଥିବା ହନ୍ତସନ୍ତ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି, ସିମନବାଡ଼ି ଓ ବ୍ରାହ୍ମଣୀଗାଁ ଅଞ୍ଚଳରେ ଔଷଧ ଦୋକାନକୁ ବାଦ୍ ଦେଲେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିଲା। ଭୋର ସମୟରେ ବିଭିନ୍ନ ରାତ୍ରିକାଳୀନ ବସ୍ ସିମନବାଡ଼ିରେ ପହଞ୍ଚିବା ପରେ ବନ୍ଦ ସମର୍ଥକମାନେ ବସ୍ଗୁଡ଼ିକୁ ଆଗକୁ ଯିବାକୁ ଦେଇନଥିଲେ। ଫଳରେ ସିମନବାଡ଼ି ବସ୍ଷ୍ଟାଣ୍ଡ ନିକଟରେ କିଛି ସମୟ ପାଇଁ ଅଶାନ୍ତିର ପରିସ୍ଥିତି ସୃଷ୍ଟି ହୋଇଥିଲା।
ବନ୍ଦ ସମର୍ଥକମାନେ ସିମନବାଡ଼ିରୁ ବାଲିଗୁଡ଼ା, ରାଇକିଆ ଓ ଦାରିଙ୍ଗବାଡ଼ି ଯାଉଥିବା ରାସ୍ତାରେ ଗାଡ଼ିମୋଟର ଅଟକାଇଥିଲେ। ଦାରିଙ୍ଗବାଡ଼ି ୪ ଛକରେ ବ୍ଲକ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ସମେତ ସହଯୋଗୀ ଦଳର କର୍ମୀମାନେ ରାସ୍ତା ଉପରେ ଦଉଡ଼ି ବାନ୍ଧି ଯାନବାହନ ଚଳାଚଳ ବନ୍ଦ କରିଥିଲେ।
ଅନ୍ୟପକ୍ଷରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଯାତାୟାତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବସ୍ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅଟକି ହଇରାଣ ହୋଇଥିବା ବେଳେ ରାତିସାରା ବସ୍ ଚଳାଇ ଆସିଥିବା ଚାଳକ ଓ କର୍ମଚାରୀମାନେ ମଧ୍ୟ ଅସୁବିଧାରେ ପଡ଼ିଥିଲେ।
ଖବର ଲେଖାଯିବା ସୁଦ୍ଧା ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ବନ୍ଦ ପାଳନ ହେଉଥିବା ବେଳେ ଯେକୌଣସି ବିଶୃଙ୍ଖଳାର ମୁକାବିଲା ପାଇଁ ପୁଲିସ ସଜାଗ ରହିଛି ବୋଲି ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।
