• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ୪ଟି ବର୍ଗରେ ୩୬ ପ୍ରତିଯୋଗିତା

Byodishri Live

Oct 13, 2026

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବାର ଏକ ଅନନ୍ୟ ମଞ୍ଚ ପାଲଟିଛି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ବାଲିଗୁଡ଼ା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ମହୋତ୍ସବରେ ୧୦ଟି ବିଦ୍ୟାଳୟ ଓ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ ମୁଖ୍ୟ ଅତିଥି ଏବଂ ସିଡିପିଓ ଇନ୍ଦିରା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଭଳି ମଞ୍ଚ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ସହାୟକ ହୁଏ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ଏହି ମହୋତ୍ସବରେ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ—ଏପରି ଚାରିଟି ବର୍ଗରେ ମୋଟ ୩୬ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାର ମୂଲ୍ୟାୟନ ପାଇଁ ୩୦ ଜଣ ବିଚାରକ ନିୟୋଜିତ ହୋଇଥିଲେ। ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା ଓ ସୃଜନଶୀଳତା ପ୍ରଦର୍ଶନ କରିବା ସହ ପରସ୍ପରର ପ୍ରତିଭାକୁ ଜାଣିବାର ସୁଯୋଗ ପାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟାପକ ଡ. ମଧୁସୂଦନ ମହାପାତ୍ର ମୁଖ୍ୟ ଅତିଥି, ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଚରଣ ସାହୁ ମୁଖ୍ୟବକ୍ତା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଛାତ୍ରଜୀବନରେ ଶିକ୍ଷା ସହ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଉଦ୍‌ଯାପନୀ ସଭାରେ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୟାନିଧି ମହାରଣା ସଭାପତିତ୍ୱ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଦାମିନୀ ସାହୁ ସଭା ପରିଚାଳନା କରିଥିବାବେଳେ ମଦନ ମୋହନ ପଣ୍ଡା ଅତିଥି ପରିଚୟ ପ୍ରଦାନ ଓ ଅମୂଲ୍ୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

‘ସୁରଭି’ ମହୋତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନେ କେବଳ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇନଥିଲେ, ବରଂ ନିଜ ଦକ୍ଷତାକୁ ଚିହ୍ନିବା, ଆତ୍ମବିଶ୍ୱାସ ବଢ଼ାଇବା ଓ ଆଗକୁ ବଢ଼ିବା ପାଇଁ ଏକ ଉତ୍ସାହଜନକ ପରିବେଶ ମଧ୍ୟ ପାଇଥିଲେ।

Spread the love

Leave a Reply

Your email address will not be published. Required fields are marked *