ନିମାପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ନିମାପଡ଼ାରେ ଦୁଇଦିନ ଧରି ଆୟୋଜିତ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ ଭକ୍ତିମୟ ପରିବେଶରେ ଉଦ୍ଘାଟିତ ହୋଇଯାଇଛି।
ମହୋତ୍ସବର ଦ୍ୱିତୀୟ ତଥା ଶେଷ ଦିନରେ ଶ୍ରୀମନ୍ଦିରର ନୀତିକାନ୍ତି, ପୂଜାପଦ୍ଧତି, ଭୋଗ ପ୍ରସ୍ତୁତି ଓ ମହାପ୍ରଭୁଙ୍କ ପାରମ୍ପରିକ ସେବାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ, ସେଲ୍ଫ ଏମ୍ପାୱାରମେଣ୍ଟ ଓ ଜୟକିରଣ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିଙ୍କ ସମେତ ସାଧୁସନ୍ଥ, ପଣ୍ଡିତ, ସେବାୟତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ।
ଶ୍ରୀମନ୍ଦିରର ସେବାୟତ ବିଶ୍ୱନାଥ ସାମନ୍ତରା, ରାଧାନାଥ ପ୍ରତିହାରୀ, ବାରିପଦା ଜଗନ୍ନାଥ ମନ୍ଦିରର ପୂଜକ ଅରୁଣ ମିଶ୍ର, ପଣ୍ଡିତ ନିରଞ୍ଜନ ମିଶ୍ର ଏବଂ ଶ୍ରୀମନ୍ଦିରର ଚନ୍ଦନଲାଗି ସେବକ ଡ. ଶ୍ରୀନିବାସ ଘଟୁଆରୀ ପ୍ରମୁଖ ଆଲୋଚନା ଓ ମଞ୍ଚ ପରିଚାଳନାରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ବକ୍ତାମାନେ ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା, ପୂଜାପଦ୍ଧତି, ସେବାବିଧି ଓ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପର୍କରେ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଅଧିକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ ଦେଇଥିଲେ।
ଜଗନ୍ନାଥ ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ମାନବିକତା, ସେବା, ସମନ୍ୱୟ ଓ ଭାଇଚାରାର ଏକ ମହାନ ବାର୍ତ୍ତା ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ସନ୍ଧ୍ୟାରେ ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ‘ଅଭିନୟ ଶ୍ରୀଜଗନ୍ନାଥ’ ଏବଂ ରଘୁରାଜପୁରର ମା’ ଦଶଭୁଜା ଗୋଟିପୁଅ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ଓ ଅଭିନୟ ପରିବେଷଣ କରାଯାଇଥିଲା। ଏହି ପରିବେଷଣ ଦର୍ଶକଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥିଲା।
ଧାର୍ମିକ ସଭାରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନର ସଭାପତି ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ମହାନିର୍ଦ୍ଦେଶକ ଡ. ଭାସ୍କର ଚନ୍ଦ୍ର ମିଶ୍ର, ଉପଦେଷ୍ଟା ସୁମିତ୍ରା ଜେନା ଓ ନନ୍ଦକିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ। ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ଭକ୍ତମାନେ ଆନନ୍ଦ ଓ ଆଧ୍ୟାତ୍ମିକ ତୃପ୍ତି ଲାଭ କରିଥିଲେ। ଶେଷରେ ‘ଜୟ ଜଗନ୍ନାଥ’ ଧ୍ୱନିରେ ମହୋତ୍ସବସ୍ଥଳୀ ପ୍ରକମ୍ପିତ ହୋଇଉଠିଥିଲା।
