ବରୀ, (ଓଡ଼ିଶ୍ରୀ ସମ୍ବାଦ): ବନ୍ୟା ନିୟନ୍ତ୍ରଣ ପାଇଁ ପୋତି ହୋଇଯାଇଥିବା ନଦୀଶଯ୍ୟାର ଖନନ, ଧୋୟା ଅଞ୍ଚଳକୁ ଏକକ ଭାବେ ଗ୍ରହଣ କରି ସମନ୍ୱିତ ଯୋଜନା ପ୍ରଣୟନ ଏବଂ ବନ୍ୟାଞ୍ଚଳ ବିକାଶ ପରିଷଦ ଗଠନ କରିବାକୁ ଦାବି ହୋଇଛି। ସୋମବାର ବରୀ ବ୍ଲକର ଅଜାଣ ପଡ଼ିଆଠାରେ ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ପକ୍ଷରୁ ଆୟୋଜିତ ଖୋଲାମଞ୍ଚରେ ଏହି ମତ ପ୍ରକାଶ ପାଇଛି।
ଏହି ଆଲୋଚନାରେ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ—ଧର୍ମଶାଳା, ବଡ଼ଚଣା, ରସୁଲପୁର, ଯାଜପୁର, ବରୀ, ବିଂଝାରପୁର, ପଟ୍ଟାମୁଣ୍ଡାଇ, ରାଜନଗର ଓ ଆଳିର ୮୫ଟି ଗ୍ରାମପଞ୍ଚାୟତର ବନ୍ୟାପୀଡ଼ିତ ଲୋକ ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ଓ ସମାଧାନର ପନ୍ଥା ସମ୍ପର୍କରେ ମତ ରଖିଥିଲେ।
ଅଭିଯାନର ଆବାହକ ନିମାଇଁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଖୋଲାମଞ୍ଚରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଶତ୍ରୁଘ୍ନ ଦାସ, ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଆଶୁତୋଷ ପରିଡ଼ା, ବରିଷ୍ଠ ନେତା ଦେବେନ୍ଦ୍ର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାମଲ, ଅଭିଯାନର ଉପଦେଷ୍ଟା କୁଳମଣି ଶୁକ୍ଳ ଏବଂ ଚନ୍ଦନପୁର ସରପଞ୍ଚ ଚପଳା ମଲ୍ଲ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ।
ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଭାସ ଚନ୍ଦ୍ର ଦାସ ଓ ଦିଲ୍ଲୀପ କୁମାର ଦାସ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଆଲୋଚନାରେ ଆଳି ବ୍ଲକର ନିଖିଳ ସାମଲ, ବଡ଼ଚଣା ବ୍ଲକର ବନମାଳୀ ସାହୁ, ଅଙ୍ଗାଳୋର ଆଇନଜୀବୀ ଅମ୍ବିକା ପ୍ରସାଦ ସାମଲ, ବିଂଝାରପୁରର କାଣୀ-ଖରସ୍ରୋତା ବଞ୍ଚାଅ ଅଭିଯାନର ସଭାପତି ଅଟଳ ବିହାରୀ ନାୟକ, ବରୀ ବ୍ଲକ ପକ୍ଷରୁ ଭାଗିରଥି ଦାସ ମହାପାତ୍ର ଓ କୁଶଧ୍ୱଜ ସାମଲ ପ୍ରମୁଖ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିଥିଲେ।
ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ଖରସ୍ରୋତା ନଦୀର ଉତ୍ପତ୍ତିସ୍ଥଳ ଜୋକଡ଼ିଆ ଏବଂ ତନ୍ତୀଘାଇର ଉତ୍ପତ୍ତିସ୍ଥଳ କଣ୍ଟିପୁରଠାରେ ବ୍ୟାରେଜ ନିର୍ମାଣ, ମଦନପୁର ଓ କଳସପୁର କଟ୍ କାର୍ଯ୍ୟକାରୀ କରିବା, ଅନ୍ୟ ଅଞ୍ଚଳକୁ ବନ୍ଧମୁକ୍ତ କରିବା ଏବଂ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱର ଘେରି ଅଞ୍ଚଳରେ କମ୍ପଗଡ଼ ଓ ମହାକାଳପଡ଼ାଠାରେ ଦୁଇଟି ସାଇଫନ ନିର୍ମାଣ କରି ନଦୀର ଅପର ପାର୍ଶ୍ୱକୁ ଜଳ ନିଷ୍କାସନ କରିବା ଭଳି ପ୍ରସ୍ତାବ ରଖାଯାଇଥିଲା। ଆବଶ୍ୟକସ୍ଥଳେ ନଦୀ ସଂଯୋଗୀକରଣ ସମେତ ମୋଟ ଆଠଟି ପ୍ରସ୍ତାବ ଆଲୋଚନାକୁ ଆସିଥିଲା।
ବନ୍ୟାଞ୍ଚଳର ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରାମାଣିକ ତଥ୍ୟ ଓ କାଗଜପତ୍ର ସଂଗ୍ରହ କରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଅରବିନ୍ଦ ବେହେରା ପରାମର୍ଶ ଦେଇଥିଲେ। ଖୋଲାମଞ୍ଚରେ ଧୋୟା ଅଞ୍ଚଳର ଶତାଧିକ ଲୋକ ଯୋଗଦେଇ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ଓ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସମନ୍ୱିତ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ।
