କଟକ (ଓଡ଼ିଶ୍ରୀ ସମ୍ବାଦ): କଟକ ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି ଓ ନିଶାଦ୍ରବ୍ୟ କାରବାର ଉପରେ ରୋକ୍ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଅଭିଯାନ ଜାରି ରହିଛି। ଏହି କ୍ରମରେ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଅବକାରୀ ଓ ବନ ବିଭାଗର ମିଳିତ ଚଢ଼ଉରେ ୯୪୦ ଲିଟର ବେଆଇନ ଅପମିଶ୍ରିତ ମଦ ଏବଂ ୧୩,୧୦୦ ଲିଟର ପୋଚ ଜବତ କରାଯାଇଛି।
କଟକ ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀ ଏବଂ ଆଠଗଡ଼ ଡିଏସ୍ଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦଲୁଆ, କଂସର, ବାଉଁଶ ଟାଙ୍ଗର, କଣ୍ଡାଉଳି, ହାତୀଟୋପା ଓ ମଠନାଳ ଗ୍ରାମ ସମେତ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଏହି ଚଢ଼ଉ କରାଯାଇଥିଲା। ଏଥିରେ ଅବକାରୀ ବିଭାଗ ସହ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ, କଟକ ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ରିଙ୍ଗ୍ ରୋଡ୍ରେ ମାରିଟାଇମ୍ ମ୍ୟୁଜିୟମ୍ ସମ୍ମୁଖରେ ଚଢ଼ଉ କରାଯାଇ ୪୨ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଏହି ଘଟଣାରେ ସୌଭାଗ୍ୟ ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଥିସହ ଏନ୍ଡିପିଏସ୍ (NDPS) ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଜିଲ୍ଲାରେ ଅବକାରୀ ଆଇନର ଉଲ୍ଲଂଘନ ଏବଂ ନିଶାଦ୍ରବ୍ୟର ବେଆଇନ କାରବାର ରୋକିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ଏଭଳି ଚଢ଼ଉ ଅଭିଯାନ ଜାରି ରହିଛି।
