ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଏକ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୨୮ ଓ ୨୯ ତାରିଖ ପରିବର୍ତ୍ତେ ନଭେମ୍ବର ୪ ଓ ୫ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ସଚିବାଳୟର ଟୁର୍ ସେକ୍ସନ ପକ୍ଷରୁ ଜାରି ଚିଠିରେ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଇଛି।
ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିବେ। ଏହି ଗସ୍ତକୁ ନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି। ରାଷ୍ଟ୍ରପତିଙ୍କ ଯାତାୟାତ ସୁଗମ ଓ ସୁରକ୍ଷିତ କରିବା ପାଇଁ ରାସ୍ତାର ଦୂରତା, ଯାତ୍ରା ସମୟ ଓ ରାସ୍ତାର ବାସ୍ତବ ସ୍ଥିତି ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି।
ନଭେମ୍ବର ୪ରେ କେଉଁଠି ଯିବେ ରାଷ୍ଟ୍ରପତି?
ନଭେମ୍ବର ୪ ତାରିଖରେ ଦାଣ୍ଡବୋଷ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରି ରାଷ୍ଟ୍ରପତି ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର, ମାହୁଲଡିହାର ଲକ୍ଷ୍ମୀମଣ୍ଡପ ଏବଂ ରାଇରଙ୍ଗପୁରସ୍ଥିତ ନିଜ ଗୃହକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, କଚେରି ପଡ଼ିଆ ଗସ୍ତ କରି ହଲିଡେ ହୋମ୍କୁ ଯିବେ।
ନଭେମ୍ବର ୫ରେ ରହିଛି ଏହି କାର୍ଯ୍ୟକ୍ରମ
ନଭେମ୍ବର ୫ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବିକାଶ ନଗର, ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ଟାଉନ୍ ହଲ୍ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସେ ଦାଣ୍ଡବୋଷ ବିମାନବନ୍ଦରକୁ ଫେରି ସେଠାରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ରାସ୍ତାଘାଟ, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥାର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି।
