ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଶେଷରେ ନିଜେ ଆଗକୁ ଆସି ଗାଁର ମୁଖ୍ୟ ରାସ୍ତା ସଫା କଲେ ଯୁବକମାନେ। ରାଜକନିକା ବ୍ଲକ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ରାସ୍ତାରେ ଜମି ରହିଥିବା ଅଳିଆ, ପଙ୍କ ଓ କାଦୁଅ ଯୋଗୁଁ ଦୁର୍ଗନ୍ଧ ସହ ଯାତାୟାତରେ ସମସ୍ୟା ହେଉଥିବାରୁ ଗ୍ରାମର ଯୁବକମାନେ ଘର ପିଛା ଅର୍ଥ ସଂଗ୍ରହ କରି ସଫେଇ କାର୍ଯ୍ୟ କରିଛନ୍ତି। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ମୁଖ୍ୟ ରାସ୍ତାରେ ଥିବା ପୁରୁଣା ଇଟା ଡ୍ରେନ୍ ଭାଙ୍ଗିଯିବା ପରେ ସାମାନ୍ୟ ବର୍ଷା ହେଲେ ଗାଁ ଆରମ୍ଭରେ ଆଣ୍ଠୁଏ ପାଣି ଜମି ରହୁଛି। ଫଳରେ ରାସ୍ତାରେ ପାଣି, କାଦୁଅ ଓ ଖାଲ ସୃଷ୍ଟି ହୋଇ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଲଗାଣ ବର୍ଷା ପରେ ସ୍ଥିତି ଅଧିକ ଖରାପ ହୋଇଥିବାରୁ ଗ୍ରାମବାସୀ ଘରୁ ବାହାରିବାରେ ମଧ୍ୟ ଅସୁବିଧା ଭୋଗୁଥିବା କହିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ଚାରି ବର୍ଷ ପୂର୍ବେ ତତ୍କାଳୀନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ସ୍ଥାନୀୟ କୋଠ ସାହି ଦୁର୍ଗା ପଡ଼ିଆରେ ଏକ କାର୍ଯ୍ୟକ୍ରମ ସମୟରେ ଇଚ୍ଛାପୁର ଗ୍ରାମର ମହିଳାମାନେ ଏହି ସମସ୍ୟା ବିଷୟରେ ଜଣାଇଥିଲେ। ଏହାପରେ ଡ୍ରେନ୍ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ବ୍ଲକ ପ୍ରଶାସନକୁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେମାନେ ଦାବି କରିଛନ୍ତି।
ଏହି କାର୍ଯ୍ୟ ସମ୍ପର୍କରେ ସରକାରୀ ରେକର୍ଡ ନମ୍ବର ୨୫୯/୨୨-୨୩ ଏବଂ ବ୍ଲକ ଯନ୍ତ୍ରୀ ଡି.କେ. ବେହେରାଙ୍କ ନାମରେ କାର୍ଯ୍ୟାଦେଶ ଥିବା ମଧ୍ୟ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି। ସେହି ସମୟରେ ଗ୍ରାମରେ ଶୁଭାରମ୍ଭ କରାଯାଇଥିବାରୁ ଲୋକେ ଡ୍ରେନ୍ ନିର୍ମାଣ ହେବ ବୋଲି ଆଶା କରିଥିଲେ। କିନ୍ତୁ ଇଚ୍ଛାପୁରରେ ଡ୍ରେନ୍ ନିର୍ମାଣ ନହୋଇ ଅନ୍ୟ ସ୍ଥାନରେ ହୋମ୍ ପାଇପ୍ ବିଛାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଇଚ୍ଛାପୁରର ସମସ୍ୟା ଅବ୍ୟାହତ ରହିବା ସହ ବଳରାମପୁର ପଞ୍ଚାୟତର ମୁଖ୍ୟ ରାସ୍ତା ମଧ୍ୟ ଜଳାର୍ଣ୍ଣବ ହୋଇପଡ଼ିଥିବା ଗ୍ରାମବାସୀ କହିଛନ୍ତି।
ଏହି ସମସ୍ୟାକୁ ନେଇ ଗ୍ରାମର ମହିଳାମାନେ ପୂର୍ବରୁ ବିଡିଓ ଓ ବ୍ଲକ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା ସହ ଜିଲ୍ଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଦାବି ଜଣାଇଥିବା କହିଛନ୍ତି। ସଦ୍ୟ ବର୍ଷା ପରେ ମଧ୍ୟ ରାସ୍ତାରୁ ଅଳିଆ, ପଙ୍କ ଓ କାଦୁଅ ସଫା କରାଯାଇନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବର୍ତ୍ତମାନର ବିଡିଓ କୈଳାସ ଚନ୍ଦ୍ର ମହାଳିକଙ୍କୁ ମଧ୍ୟ ଅବଗତ କରାଯାଇଥିବା ସେମାନେ କହିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଯେ, ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ଯୁବକମାନେ ନିଜେ ସଫେଇ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସ୍ତା ଓ ଡ୍ରେନ୍ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବା ନେଇ ଗ୍ରାମବାସୀ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ ଦାବି: ଇଚ୍ଛାପୁର ମୁଖ୍ୟ ରାସ୍ତାରୁ ଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ କରିବା ସହ ରାସ୍ତାରେ ଜମିଥିବା ପଙ୍କ ଓ କାଦୁଅ ସଫା କରାଯାଉ, ଯାହାଦ୍ୱାରା ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହୋଇପାରିବ।
