ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଚଳିତ ବର୍ଷ ଦୁର୍ଗାପୂଜା ଯାତ୍ରାକୁ ଶୃଙ୍ଖଳିତ ଓ ନିୟମାନୁବର୍ତ୍ତୀ ଭାବେ ପାଳନ କରାଯାଇଛି। ରାଜପଥ ଉପରେ ନାଚଗୀତ ପରିବର୍ତ୍ତେ ନିର୍ଦ୍ଧାରିତ ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ ଏବଂ ଭସାଣି ସମୟରେ ନିୟମ ପାଳନ ଭଳି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଏହି ପରିବର୍ତ୍ତନ ପଛରେ ସମାଜସେବୀ ଟୁନା ଦାସଙ୍କ ଉଦ୍ୟମ ରହିଥିବା କୁହାଯାଉଛି।
ବାଲିଗୁଡ଼ାର ଆରାଧ୍ୟ ଦେବୀ ମା’ ପାଟ୍ଟଖଣ୍ଡା ମନ୍ଦିର ଏବଂ ବରାଳଦେବୀ କମିଟି ପକ୍ଷରୁ ନବରାତ୍ରି ଅବସରରେ ଦୁର୍ଗାପୂଜା ଯାତ୍ରା ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଟୁନା ଦାସଙ୍କ ନେତୃତ୍ୱରେ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ଦୁଇଟି ଯାତ୍ରାରେ ଉପଜିଲ୍ଲାପାଳ ପ୍ରଣିତା ଦାସ ଓ ଶୁଭମ ଭସଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ପୂର୍ବରୁ ଜାତୀୟ ରାଜପଥ ଉପରେ ନାଚଗୀତ କାର୍ଯ୍ୟକ୍ରମ ଯୋଗୁଁ ପ୍ରବଳ ଭିଡ଼ ଓ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ରହିଥିଲା। ଏହାଦ୍ୱାରା ମହିଳାମାନେ ଅସୁବିଧାରେ ପଡ଼ିବା ସହ ଅସଦାଚରଣ ଭଳି ଘଟଣା ଘଟିବାର ଆଶଙ୍କା ରହୁଥିଲା। ଏସବୁ ସମସ୍ୟାକୁ ଏଡ଼ାଇବା ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଏଥର ରାଜପଥ ପରିବର୍ତ୍ତେ ପଡ଼ିଆରେ ନାଚଗୀତ କାର୍ଯ୍ୟକ୍ରମ କରାଯାଇଥିଲା।
ସେହିପରି ଭସାଣି ସମୟରେ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର ଏବଂ ନିର୍ଦ୍ଧାରିତ ସମୟରେ ନାଚଗୀତ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ଉତ୍ସବରେ ଶୃଙ୍ଖଳା ରହିବା ସହ ଯାତାୟାତ ସମସ୍ୟା ହ୍ରାସ ପାଇଥିବା କୁହାଯାଇଛି।
ଅନ୍ୟପକ୍ଷରେ କ. ନୂଆଗାଁ, ରାଇକିଆ ଓ ଜି. ଉଦୟଗିରି ଅଞ୍ଚଳରେ ରାଜରାସ୍ତା ଅବରୋଧ କରି ଯାତ୍ରା ଓ ନାଚଗୀତ ଆୟୋଜନ ହେବା ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ଜରୁରୀକାଳୀନ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଥାଏ। ତେଣୁ ଧାର୍ମିକ ପରମ୍ପରା ବଜାୟ ରଖିବା ସହ ରାଜପଥ ଅବରୋଧ ନକରି ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଆୟୋଜନକୁ ସଫଳ କରିବାରେ ଲକ୍ଷ୍ମୀନାଥ ପାଢ଼ୀ, ଦଣ୍ଡୁ ଭାଇ, ଦିବାକର, କୁନୁ ପାଢ଼ୀ ଓ ଲଚନ ସହଯୋଗ କରିଥିଲେ। ଟେଣ୍ଟ ବ୍ୟବସ୍ଥାରେ ଚୈତନ ଏବଂ ବଜାର ସମ୍ପର୍କିତ ବ୍ୟବସ୍ଥାରେ ବୁଲୁ ପଣ୍ଡାଙ୍କ ଟେଣ୍ଟ ଆକର୍ଷଣର କେନ୍ଦ୍ର ରହିଥିଲା। ସମସ୍ତଙ୍କ ସହଯୋଗରେ ଏହି ଯାତ୍ରା ସଫଳ ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ଧାର୍ମିକ ଉତ୍ସବର ଆନନ୍ଦ ସହ ମହିଳାଙ୍କ ସମ୍ମାନ, ସାଧାରଣ ଲୋକଙ୍କ ସୁରକ୍ଷା ଓ ନିରବିଘ୍ନ ଯାତାୟାତକୁ ଗୁରୁତ୍ୱ ଦେଇ ବାଲିଗୁଡ଼ାରେ ହୋଇଥିବା ଏହି ପଦକ୍ଷେପ ଆଗାମୀ ଦିନରେ ଅନ୍ୟ ଉତ୍ସବ ପାଇଁ ଉଦାହରଣ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।
