• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଯାଜପୁର ଗସ୍ତ, ସଂଗଠନ ମଜବୁତ କରିବା ଉପରେ ଗୁରୁତ୍ୱ

Byodishri Live

Oct 27, 2026

ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଭାରତୀୟ ଜନତା ପାର୍ଟିର ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଯାଜପୁର ଗସ୍ତରେ ଆସି ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକାସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଛନ୍ତି। ଏହି ଅବସରରେ ଦଳର ସାଂଗଠନିକ ସ୍ଥିତି ମଜବୁତ କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଅପରାହ୍ନରେ ଜାରକାଠାରେ ପହଞ୍ଚିବା ପରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଡି. ପୁରନ୍ଦେଶ୍ୱରୀଙ୍କୁ ଉତ୍ସାହର ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା। ସେଠାରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସେ ଦଳୀୟ ନେତା, ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ଉପସ୍ଥିତ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଏହି ବୈଠକରେ ରାଜ୍ୟ ସହପ୍ରଭାରୀ ଡ. ସ୍ୱଦେଶ ସିଂ, ବିଜେପି ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଯାଜପୁର ସାଂସଦ ରବିନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ଯାଜପୁର ବିଜେପି ନେତା ଗୌତମ ରାୟ, ବରୀ ବିଜେପି ନେତା ଉମେଶ ଜେନା, ବିଂଝାରପୁର ବିଜେପି ନେତ୍ରୀ ବବିତା ମଲିକ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଆଶୁତୋଷ ପରିଡ଼ା ଏବଂ ଯୁବ ସଂଗଠକ ସଂଗ୍ରାମ ପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ତୃଣମୂଳ ସ୍ତରରେ ଦଳର ସ୍ଥିତି ସୁଦୃଢ଼ କରିବା ଓ ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହି ବୈଠକରେ ହୋଇଥିବା ଆଲୋଚନା ଆଗାମୀ ଦିନରେ ଦଳର ରଣନୀତି ପାଇଁ ଗୁରୁତ୍ୱ ବହନ କରିପାରେ।

Spread the love

Leave a Reply

Your email address will not be published. Required fields are marked *