ବାଲିଅନ୍ତା (ଓଡ଼ିଶ୍ରୀ ସମ୍ବାଦ): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଇନ୍ଦ୍ରପାଳ ଆମ୍ବତୋଟା ପୀଠରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଆରମ୍ଭ ହୋଇଛି ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଦେବଙ୍କ ୪୪ତମ ଜୟନ୍ତୀ ଉତ୍ସବ। ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଏହି ମହୋତ୍ସବ ଆୟୋଜିତ ହେଉଛି। ଉତ୍ସବକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଆୟୋଜକ ଅନୀଲ କୁମାର ସ୍ୱାଇଁଙ୍କ ପିତା ସ୍ୱର୍ଗତ ଅଙ୍କୁର ସ୍ୱାଇଁ ଓ ମାତା ସ୍ୱର୍ଗତା ବାସନ୍ତୀ ସ୍ୱାଇଁଙ୍କ ସ୍ମୃତିରେ ଏହି ଦେବସ୍ଥଳୀ ପ୍ରତିଷ୍ଠା କରାଯାଇଛି। ଜୟନ୍ତୀ ଉତ୍ସବ ଅବସରରେ ସମାଜରେ ଶାନ୍ତି, ମୈତ୍ରୀ ଓ ସଦ୍ଭାବନା ପ୍ରତିଷ୍ଠା ହେଉ ବୋଲି ପ୍ରଭୁ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଦେବଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।
ଉତ୍ସବର ପ୍ରଥମ ଦିନରେ ପ୍ରଭୁଙ୍କ ଅବକାଶ ନୀତି ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ଭବ୍ୟ ଆରତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୬ଟି ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ହରିନାମ ସଂକୀର୍ତ୍ତନରେ ପୀଠର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ପ୍ରତିବର୍ଷ ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ପ୍ରାୟ ୭ ହଜାରରୁ ୧୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଉତ୍ସବକୁ ସଫଳ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପାଞ୍ଚ ଦିନିଆ ଏହି ମହୋତ୍ସବରେ ଶ୍ରଦ୍ଧାଳୁଙ୍କ ଯୋଗଦାନ ସହ ପୀଠରେ ଧାର୍ମିକ ଉତ୍ସାହ ଜାରି ରହିବ ବୋଲି ଆଶା କରାଯାଉଛି।
