• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବଡ଼ଚଣାରେ ଦୁଇ ମାସର ରାସନ ଗାଏବ ଅଭିଯୋଗ, ୨୫୬୭ କୁଇଣ୍ଟାଲ ଚାଉଳକୁ ନେଇ ପ୍ରଶ୍ନ

Byodishri Live

Oct 28, 2026

ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମିଳିବାକୁ ଥିବା ଦୁଇ ମାସର ରାସନ ବଣ୍ଟନକୁ ନେଇ ବଡ଼ଚଣା ବ୍ଲକରେ ଅନିୟମିତତା ଅଭିଯୋଗ ଉଠିଛି। ଚଳିତ ବର୍ଷ ମେ ଓ ଜୁନ୍‌ ମାସର ଚାଉଳ ହିତାଧିକାରୀଙ୍କୁ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ବଡ଼ଚଣା ବ୍ଲକରେ ପ୍ରାୟ ୫୪ ହଜାର ହିତାଧିକାରୀ ଥିବାବେଳେ ୯୧ ଜଣ ରିଟେଲରଙ୍କ ମାଧ୍ୟମରେ ରାସନ ବଣ୍ଟନ କରାଯାଏ। ହିତାଧିକାରୀଙ୍କୁ ପ୍ରତି ମାସରେ ମୋଟ ୨୭୦୦ କୁଇଣ୍ଟାଲ ଚାଉଳ ମିଳିବା କଥା। କିନ୍ତୁ ବିଭାଗୀୟ ତଥ୍ୟ ଅନୁଯାୟୀ, ମେ ମାସରେ ୧୨୮୩ କୁଇଣ୍ଟାଲ ଓ ଜୁନ୍‌ ମାସରେ ୧୨୮୪ କୁଇଣ୍ଟାଲ ଚାଉଳ ବଣ୍ଟନକୁ ନେଇ ଅସଙ୍ଗତି ଦେଖାଦେଇଛି। ଦୁଇ ମାସର ମୋଟ ୨୫୬୭ କୁଇଣ୍ଟାଲ ଚାଉଳ କୁଆଡ଼େ ଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚରାଯିବାରୁ ମେ ଓ ଜୁନ୍‌ ମାସର ରାସନ ଆସିନଥିବା କୁହାଯାଇଛି। ଅନ୍ୟପକ୍ଷରେ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ଚାଉଳ ବଡ଼ଚଣା ବ୍ଲକକୁ ଆସିସାରିଛି। ଏହି ଦୁଇଟି ତଥ୍ୟ ମଧ୍ୟରେ ରହିଥିବା ଅସଙ୍ଗତି ଘଟଣାକୁ ଅଧିକ ରହସ୍ୟମୟ କରିଛି।

ଚାଉଳ ବ୍ଲକକୁ ଆସିଥିଲେ ମଧ୍ୟ ହିତାଧିକାରୀଙ୍କୁ କାହିଁକି ମିଳିଲାନି, ତାହାର ସ୍ପଷ୍ଟୀକରଣ ଦାବି ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ରାସନ ବଣ୍ଟନର ପ୍ରକୃତ ସ୍ଥିତି ସାର୍ବଜନୀନ କରିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *