କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): ପାଞ୍ଚ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ବିରଜା ମିଶ୍ର ଗସ୍ତର ତୃତୀୟ ଦିନରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ସିଧାସଳଖ ଆଲୋଚନା କରି ସ୍ୱାସ୍ଥ୍ୟସେବାରେ ମିଳୁଥିବା ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।
ପରିଦର୍ଶନ ସମୟରେ କିଛି ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲରେ ରକ୍ତ ମିଳୁନଥିବା ନେଇ ଆୟୋଗ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ରକ୍ତ ଯୋଗାଡ଼ କରିବା ପାଇଁ CDMOଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିରଜା ମିଶ୍ର।
ଏହାସହ ହସ୍ପିଟାଲର ଲିଫ୍ଟ କାର୍ଯ୍ୟକ୍ଷମ ନଥିବା, ଏକ୍ସ-ରେ ମେସିନ୍ ଅଚଳ ଥିବା ଏବଂ କିଛି ୱାର୍ଡରେ ଏସି ନଥିବା ଭଳି ସମସ୍ୟା ମଧ୍ୟ ଆୟୋଗ ସଦସ୍ୟଙ୍କ ନଜରକୁ ଆସିଥିଲା। ଏନେଇ ସେ CDMOଙ୍କ ସହ ଆଲୋଚନା କରିଥିଲେ। ସମସ୍ୟାଗୁଡ଼ିକର ଖୁବଶୀଘ୍ର ସମାଧାନ କରାଯିବ ବୋଲି CDMO ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ପରିଦର୍ଶନ ପରେ ବିରଜା ମିଶ୍ର କହିଛନ୍ତି ଯେ, ହସ୍ପିଟାଲରେ ଦେଖାଦେଇଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସରକାର ଓ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦିଆଯିବ। ରୋଗୀମାନେ ଯେପରି ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇପାରିବେ, ସେଥିପାଇଁ ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
