ଖଲ୍ଲିକୋଟ (ଓଡ଼ିଶ୍ରୀ ସମ୍ବାଦ): ଗଣେଶ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ଚାଲିଥିଲା ରିହର୍ସଲ। ଆଉ ମାତ୍ର ୩ ଦିନ ପରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ। ହେଲେ ଏହା ପୂର୍ବରୁ ଘଟିଛି ଅଭାବନୀୟ ଘଟଣା। ରିହର୍ସଲ ଚାଲିଥିବା ବେଳେ ଜଣେ ଯାତ୍ରା କଳାକାରଙ୍କୁ ଛୁରାମାଡ଼ କରାଯାଇଥିବା ବେଳେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଗଣେଶ ପୂଜା ଅବସରରେ ଗାଁରେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିଲା। ଆସନ୍ତା ୧୯ ତାରିଖରେ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ଥିଲା।
ତେବେ ମଙ୍ଗଳବାର ରିହର୍ସଲ ଚାଲିଥିବା ସମୟରେ ଗାଁର ଦୁଇଜଣ ଯୁବକ ହଠାତ୍ ସେଠାରେ ପହଞ୍ଚି ଯାତ୍ରା କଳାକାର ଚିତ୍ରସେନ ଜେନାଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଚିତ୍ରସେନଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚିତ୍ରସେନ ଜେନାଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ଖୋଜାପଲ୍ଲୀ ଗାଁରେ ଶୋକର ଛାୟା ଖେଳିଯାଇଛି।
ତେବେ ଚିତ୍ରସେନଙ୍କୁ କାହିଁକି ଛୁରାମାଡ଼ କରାଗଲା, ଆକ୍ରମଣ ପଛରେ ପ୍ରକୃତ କାରଣ କ’ଣ ଏବଂ ନାଟକରେ ଅଭିନୟକୁ ନେଇ କୌଣସି ବିବାଦ ଥିଲା କି ନାହିଁ—ସେନେଇ ଏବେ ମଧ୍ୟ ସ୍ପଷ୍ଟତା ମିଳିନାହିଁ। ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଦୁଇ ଯୁବକ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି।
