୧୧ ଜଣ ଅଳ୍ପକେ ବର୍ତ୍ତିଲେ, ଦୁଇ ମହିଳା ଗୁରୁତର; ଘରଦ୍ୱାର ଓ ସମ୍ପତ୍ତି ହରାଇ ଆଶ୍ରୟସ୍ଥଳରେ ପ୍ରଭାବିତ ପରିବାର
ଜି.ଉଦୟଗିରି (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ଭୂସ୍ଖଳନ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଅଞ୍ଚଳରେ ଭୟଙ୍କର ବିପର୍ଯ୍ୟୟ ଘଟାଇଛି। ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ପାହାଡ଼ରୁ ମାଟି, ପଥର, ଗଛ ଓ ପାଣି ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମଟି ଧ୍ୱଂସସ୍ତୂପରେ ପରିଣତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ, ୧୩ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଥିବାବେଳେ ୧୧ ଜଣ ଅଳ୍ପକେ ଜୀବନ ବଞ୍ଚାଇଛନ୍ତି। ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜି.ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
ସୂଚନା ଅନୁଯାୟୀ, ଗିଡ଼ିପାବାଲି ଗ୍ରାମରେ ୯ଟି ପରିବାରର ପ୍ରାୟ ୨୬ ଜଣ ଲୋକ ବସବାସ କରୁଥିଲେ। ବୁଧବାର ରାତି ପ୍ରାୟ ୩ଟା ସମୟରେ ସମସ୍ତେ ନିଜ ନିଜ ଘରେ ଶୋଇଥିବାବେଳେ ହଠାତ୍ ପାହାଡ଼ ଉପରୁ ଏକ ବିରାଟ ଶବ୍ଦ ଶୁଣାଯାଇଥିଲା। କିଛି ବୁଝିବା ପୂର୍ବରୁ ମାଟି, ପଥର, ଗଛ ଓ ପାଣିର ପ୍ରଖର ସ୍ରୋତ ଗ୍ରାମ ଭିତରକୁ ମାଡ଼ି ଆସି ଘରଗୁଡ଼ିକୁ ପୋତି ଦେଇଥିଲା। ଫଳରେ ହସଖୁସିରେ ଭରିଥିବା ଗ୍ରାମଟି ଆଖି ପିଛୁଳାକେ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା।
ଏହି ଭୟାବହ ଘଟଣାରେ ୧୧ ଜଣ ଲୋକ ଅଳ୍ପକେ ଜୀବନ ବଞ୍ଚାଇଥିବାବେଳେ ଦୁଇ ମହିଳା ସମିତା ମଲ୍ଲିକ ଓ ମନିମା ପ୍ରଧାନ ମାଟି ଓ ପଥର ତଳେ ଫସି ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟପକ୍ଷରେ, ନିଖୋଜଙ୍କ ମଧ୍ୟରେ ଦୁଇ ଜଣ ୧ ବର୍ଷ ୩ ମାସର ଯାଆଁଳା ଶିଶୁ ଏବଂ ଜଣେ ୮ ବର୍ଷର ବାଳକ ଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇ ଘୁ.ଉଦୟଗିରିର ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଗୁରୁତର ଦୁଇ ମହିଳାଙ୍କୁ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇବାର ବ୍ୟବସ୍ଥା କରିଥିଲେ। ଏହାସହ କିଲାପାଙ୍ଗା ଗ୍ରାମର ବେଲାର୍ଶନ ପ୍ରଧାନଙ୍କ ନେତୃତ୍ୱରେ ୮ ଜଣ ଗ୍ରାମବାସୀ ଗିଡ଼ିପାବାଲି ଅଞ୍ଚଳକୁ ଯାଇ ନିଖୋଜ ଲୋକଙ୍କୁ ଖୋଜାଖୋଜି କରିଥିଲେ। ତେବେ ସେମାନଙ୍କର କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି।
ଭୂସ୍ଖଳନରେ ଘରଦ୍ୱାର ଓ ସମସ୍ତ ସମ୍ପତ୍ତି ହରାଇଥିବା ପରିବାରଗୁଡ଼ିକ ଏବେ ନିରାଶ୍ରୟ ହୋଇପଡ଼ିଛନ୍ତି। ସେମାନେ ବୁଧବାର ରାତିରୁ ଭୋକ ଓ ଶୋଷରେ ପାହାଡ଼ିଆ ଅଞ୍ଚଳରେ ଆଶ୍ରୟ ନେଇଥିବା କୁହାଯାଉଛି। ବର୍ତ୍ତମାନ କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ପ୍ରଭାବିତ ଲୋକମାନେ ରହିଛନ୍ତି। ନିଖୋଜଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ପ୍ରଭାବିତ ପରିବାରଙ୍କୁ ଖାଦ୍ୟ, ପୋଷାକ, ଚିକିତ୍ସା ଓ ସ୍ଥାୟୀ ଥଇଥାନ ଯୋଗାଇଦେବାକୁ ସେମାନେ ସରକାର ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।
