• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଗୁରୁତ୍ୱ: କେନ୍ଦୁଝରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Byodishri Live

Oct 31, 2026

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ସରକାରୀ କାର୍ଯ୍ୟାଳୟରେ ନଥିପତ୍ର ପ୍ରସ୍ତୁତି, ଚିଠିପତ୍ର ଲେଖନ ଓ ଦୈନନ୍ଦିନ ଦପ୍ତରୀ କାର୍ଯ୍ୟରେ ଓଡ଼ିଆ ଭାଷାର ଶୁଦ୍ଧ ଓ ସଠିକ୍ ବ୍ୟବହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦୁଝରଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ, କେନ୍ଦୁଝରର ସହଯୋଗରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏହି ଶିବିର ଆୟୋଜିତ ହୋଇଥିଲା।

ଏଥିରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ପ୍ରଶିକ୍ଷଣ ଅବସରରେ ସରକାରୀ ଚିଠିପତ୍ର ପ୍ରସ୍ତୁତି, ନଥି ଉପସ୍ଥାପନ ଓ ଲେଖନ ଶୈଳୀ, ଶବ୍ଦ ପ୍ରୟୋଗ ଏବଂ ଦୈନନ୍ଦିନ ଦପ୍ତରୀ କାର୍ଯ୍ୟରେ ଓଡ଼ିଆ ଭାଷାର ଶୁଦ୍ଧ ଓ ସଠିକ୍ ବ୍ୟବହାର ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ କହିଥିଲେ ଯେ, ସରକାରୀ କାର୍ଯ୍ୟାଳୟରେ ମାତୃଭାଷା ଓଡ଼ିଆର ବ୍ୟାପକ ବ୍ୟବହାର ଦ୍ୱାରା ପ୍ରଶାସନିକ କାର୍ଯ୍ୟ ଅଧିକ ସ୍ୱଚ୍ଛ, ସରଳ ଓ ଲୋକାଭିମୁଖୀ ହୋଇପାରିବ। ଏହାଦ୍ୱାରା ସାଧାରଣ ଲୋକେ ସରକାରୀ ନିୟମ, ନିର୍ଦ୍ଦେଶ ଓ ବିଭିନ୍ନ ସେବା ସମ୍ପର୍କରେ ସହଜରେ ବୁଝିପାରିବେ। ତେଣୁ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ନିଜ ଦପ୍ତରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ।

ଶିବିରରେ ଡ. ମନୋରଞ୍ଜନ ପାଣିଗ୍ରାହୀ, ପ୍ରାକ୍ତନ ଅଧିକାରୀ ତଥା ଓଡ଼ିଆ ଭାଷା ପ୍ରଶିକ୍ଷକ, ଡ. ରମେଶ ଚନ୍ଦ୍ର ମଲ୍ଲିକ, ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଏବଂ ଡ. ସିଦ୍ଧାନ୍ତ ପାଢ଼ୀ, ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ସେମାନେ ବିଭିନ୍ନ ଉଦାହରଣ ମାଧ୍ୟମରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ଶୁଦ୍ଧତା, ସଠିକତା ଓ ବ୍ୟବହାରିକ ଦିଗ ସମ୍ପର୍କରେ ବୁଝାଇଥିଲେ। ଏଥିସହ ଅଧିକାରୀ ଓ କର୍ମଚାରୀମାନଙ୍କୁ ଓଡ଼ିଆ ଭାଷାରେ ଦପ୍ତରୀ କାର୍ଯ୍ୟ ସମ୍ପାଦନ ପାଇଁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ସଂଯୋଜନା କରିଥିଲେ। ଏଥିରେ ପର୍ଯ୍ୟଟନ ବିଭାଗର କନିଷ୍ଠ ସହାୟକ ବିକ୍ରମ କେଶରୀ ପାତ୍ର ଏବଂ ଜିଲ୍ଲା ସଂସ୍କୃତି ପରିଷଦର କନିଷ୍ଠ ସହାୟକ ସନ୍ଦୀପ କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସରକାରୀ କାର୍ଯ୍ୟରେ ମାତୃଭାଷାର ବ୍ୟବହାରକୁ ସୁଦୃଢ଼ କରିବା ସହ ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଭାଷାଗତ ଦୂରତା ଦୂର କରିବା ଦିଗରେ ଏହି ପ୍ରଶିକ୍ଷଣ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।

Spread the love

Leave a Reply

Your email address will not be published. Required fields are marked *