ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୪ତମ କିସ୍ତି ଦେଶର ଚାଷୀଙ୍କୁ ପ୍ରଦାନ କରାଯାଇଛି। ଗୁଜରାଟର ବନାସକାଣ୍ଠା ଜିଲ୍ଲାରେ ଆୟୋଜିତ ଜାତୀୟସ୍ତରୀୟ ପିଏମ୍-କିଷାନ ଉତ୍ସବ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତିର ଅର୍ଥରାଶି ହସ୍ତାନ୍ତର କରିଛନ୍ତି। ଏହାଦ୍ୱାରା ଦେଶର ୯ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଚାଷୀ ପିଛା ୨,୦୦୦ ଟଙ୍କା ଲେଖାଏଁ ପଠାଯାଇଛି।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଓଡ଼ିଶାର ୩୫,୩୯,୨୯୭ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୭୦୭.୮୫ କୋଟି ଟଙ୍କା ପଠାଯାଇଛି।
ସେହିପରି ନୂଆପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ପିଏମ୍-କିଷାନ ଉତ୍ସବ ଦିବସ ଶିଲଦାସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୮୬,୬୬୦ ଜଣ ଚାଷୀ ୨୪ତମ କିସ୍ତି ବାବଦରେ ଚାଷୀ ପିଛା ୨,୦୦୦ ଟଙ୍କା ଲେଖାଏଁ ପାଇଛନ୍ତି। ଏହି ହିସାବରେ ଜିଲ୍ଲାର ଚାଷୀଙ୍କୁ ମୋଟ ୧୭ କୋଟି ୩୩ ଲକ୍ଷ ୨୦ ହଜାର ଟଙ୍କା ମିଳିଛି।
ବ୍ଲକ୍ୱାରୀ ହିସାବରେ କୋମନା ବ୍ଲକ୍ର ସର୍ବାଧିକ ୨୦,୯୫୨ ଜଣ ଚାଷୀ ଏହି କିସ୍ତି ପାଇଥିବାବେଳେ ସିନାପାଲି ବ୍ଲକ୍ର ୨୦,୪୧୩, ଖରିଆର ବ୍ଲକ୍ର ୧୬,୧୩୧, ନୂଆପଡ଼ା ବ୍ଲକ୍ର ୧୫,୨୭୪ ଏବଂ ବୋଡ଼େନ ବ୍ଲକ୍ର ୧୩,୮୯୦ ଜଣ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ପଟେଲଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଚାଷୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
