ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାର ମାଇ ଭାରତ ପକ୍ଷରୁ ଗତ ୩୧ ଅକ୍ଟୋବର ୨୦୨୬ ତାରିଖରେ ରାଇକିଆ ବ୍ଲକ୍ସ୍ଥିତ ସୁଦ୍ଧା କିରଣ କଲେଜ ପରିସରରେ ‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଇକିଆ ବ୍ଲକ୍ର ଶତାଧିକ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ସୁଦ୍ଧା କିରଣ କଲେଜର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୀବନଜ୍ୟୋତି କଲେଜର ଅଧ୍ୟାପିକା ଗୀତାଞ୍ଜଳି ଗନ୍ଧାୟତଙ୍କ ସମେତ ନୀଳାଞ୍ଚଳ ସାହୁ, ଦିବ୍ୟଜ୍ୟୋତି ମଲ୍ଲିକ, ଧର୍ମେନ୍ଦ୍ର ଦିଗାଲ, ବିଭୀଷଣ ପ୍ରଧାନ, ଆଲୋକ କୁମାର ପରିଚ୍ଛା, ସିଦ୍ଧାନ୍ତ ନାୟକ, ପ୍ରିୟଦର୍ଶିନୀ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏଥିସହ ଜାତୀୟସ୍ତରରେ ‘ବିକଶିତ ଭାରତ ୟଙ୍ଗ ଡାଇଲଗ୍’ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ପ୍ରତ୍ୟୁଷା ଦାସ ଏବଂ ମାଇ ଭାରତ କନ୍ଧମାଳର ସହକର୍ମୀ ସତ୍ୟବାନ ଦଳବେହେରା ମଧ୍ୟ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ‘ନିଶାମୁକ୍ତ ଯୁବ ସମାଜ’। ଉପସ୍ଥିତ ଅତିଥିମାନେ ନିଶାର କୁପ୍ରଭାବ ଏବଂ ଯୁବପିଢ଼ିଙ୍କ ଭୂମିକା ଉପରେ ନିଜ ନିଜର ମତ ରଖିଥିଲେ। ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଯୁବକ-ଯୁବତୀମାନଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ଯୁବକ-ଯୁବତୀଙ୍କ ମଧ୍ୟରେ ସ୍ଲୋଗାନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ପ୍ରାରମ୍ଭରେ ମାଇ ଭାରତ କନ୍ଧମାଳର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଯୁବକ-ଯୁବତୀମାନଙ୍କୁ ସ୍ୱାଗତ କରିଥିଲେ। ଶେଷରେ ଧର୍ମେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।
