ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ଉପଖଣ୍ଡରେ ବେଆଇନ ବନ୍ଧୁକ କାରବାର ଓ ଦେଶୀ ବନ୍ଧୁକ ବ୍ୟବହାରକୁ ନେଇ ପୁଲିସର ଚଢ଼ଉ ଜାରି ରହିଛି। ଏହି କ୍ରମରେ ରେଢ଼ାଖୋଲ ଥାନା ପୁଲିସ ମୁଟୁରୁମୁଣ୍ଡା ଓ ତେରବେଡ଼ା ଗ୍ରାମରେ ଚଢ଼ଉ କରି ଦୁଇଟି ଦେଶୀ ବନ୍ଧୁକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ମୁଟୁରୁମୁଣ୍ଡା ଗ୍ରାମର ସନ୍ତୋଷ ତିର୍କୀ (୪୦) ଏବଂ ତେରବେଡ଼ା ଗ୍ରାମର ଅରୁଣ ପ୍ରଧାନ (୪୬)।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲାଣ୍ଡିମାଳ ଗ୍ରାମରେ ଏକ ମାମଲାର ତଦନ୍ତ କରୁଥିବା ସମୟରେ ମୁଟୁରୁମୁଣ୍ଡା ଗ୍ରାମର ସନ୍ତୋଷ ତିର୍କୀଙ୍କ ନିକଟରେ ଏକ ଦେଶୀ ବନ୍ଧୁକ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଟିମ୍ ଗ୍ରାମରେ ଚଢ଼ଉ କରି ସନ୍ତୋଷଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଥିଲା।
ପରବର୍ତ୍ତୀ ତଦନ୍ତ ସମୟରେ ତେରବେଡ଼ା ଗ୍ରାମର ଅରୁଣ ପ୍ରଧାନଙ୍କ ନିକଟରେ ମଧ୍ୟ ଏକ ଦେଶୀ ବନ୍ଧୁକ ଥିବା ଜଣାପଡ଼ିଥିଲା। ଏହାକୁ ଆଧାର କରି ପୁଲିସ ସେଠାରେ ଚଢ଼ଉ କରି ଅରୁଣଙ୍କ ନିକଟରୁ ଆଉ ଏକ ବନ୍ଧୁକ ଜବତ କରି ତାଙ୍କୁ ଗିରଫ କରିଥିଲା।
ଏହି ଘଟଣାରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ରେଢ଼ାଖୋଲ ଥାନାଧିକାରୀ ସନୟ କୁମାର ନାୟକ ସୂଚନା ଦେଇଛନ୍ତି।
