ବହିଷ୍କାର ଦାବିରେ ତାଲା ପକାଇଥିଲେ ଦଳୀୟ ଗୋଷ୍ଠୀ, ଘଟଣାକୁ ନେଇ ବଢ଼ିଲା ଚର୍ଚ୍ଚା
ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ବ୍ଲକ ରାଜନୀତିରେ ଦିନକୁ ଦିନ ନୂଆ ମୋଡ଼ ଦେଖିବାକୁ ମିଳୁଛି। ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କୁ ନେଇ ଚାଲିଥିବା ରାଜନୈତିକ ବିବାଦ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ନିଜ ସମର୍ଥକଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ତାଲା ଖୋଲିବା ପରେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଛନ୍ତି ଅଧ୍ୟକ୍ଷା।
ସୂଚନା ଅନୁଯାୟୀ, ଉର୍ମିଳା ନାୟକଙ୍କୁ ବିଜେପିରୁ ବହିଷ୍କାର କରିବା ଦାବିରେ ଦଳର ଏକ ଗୋଷ୍ଠୀ ପକ୍ଷରୁ ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ତାଲା ପକାଯାଇଥିଲା। ଏହି ଘଟଣାକୁ ନେଇ ବ୍ଲକ ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା।
ତେବେ ଅଧ୍ୟକ୍ଷା ନିଜ ସମର୍ଥକଙ୍କ ସହ ପହଞ୍ଚି ତାଲା ଖୋଲିବା ସହ କାର୍ଯ୍ୟାଳୟକୁ ପ୍ରବେଶ କରିବା ଘଟଣା ବିବାଦକୁ ନୂଆ ଦିଗ ଦେଇଛି। ଏହି ଘଟଣା ପରେ ଦଳୀୟ ନେତୃତ୍ୱ କି ପଦକ୍ଷେପ ନେବେ ଏବଂ ବିବାଦ କେଉଁ ଦିଗକୁ ଗତି କରିବ, ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଛି।
ଅନ୍ୟପକ୍ଷରେ, ବ୍ଲକ କାର୍ଯ୍ୟାଳୟର ସ୍ୱାଭାବିକ କାର୍ଯ୍ୟକଳାପ ଯେପରି ବାଧାପ୍ରାପ୍ତ ନହୁଏ ଏବଂ ସାଧାରଣ ଲୋକଙ୍କୁ ସେବା ପାଇବାରେ ଅସୁବିଧା ନହୁଏ, ସେଥିପାଇଁ ପ୍ରଶାସନର ହସ୍ତକ୍ଷେପ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
