• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସରକାରୀ ଜମି ଜବରଦଖଲ ମୁକ୍ତ ଦାବିରେ ଗୁଆଳିଗାଁ ଗ୍ରାମବାସୀଙ୍କ ଗଣଧାରଣା

Byodishri Live

Nov 2, 2026

୨୮ ଏକର ସରକାରୀ ଜମିରୁ ୧୦ ଏକରରୁ ଅଧିକ ଜବରଦଖଲ ଅଭିଯୋଗ; ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଧାରଣା ଜାରି

ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲ ଅଧୀନ ଗୁଆଳିଗାଁ ମୌଜାରେ ଥିବା ସରକାରୀ ଜମି ଜବରଦଖଲ ମୁକ୍ତ କରିବା ଦାବିରେ ଗ୍ରାମବାସୀମାନେ କନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଶ୍ମଶାନ, ପାଣିନାଳ, ଅନାବାଦୀ, ନୟନଜୋର, ଗୋଚର ଓ ସର୍ବସାଧାରଣ ରାସ୍ତା ଭଳି ଜମିକୁ ଜବରଦଖଲରୁ ମୁକ୍ତ କରିବା ସହ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ସେମାନେ ଦାବି କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟାର ସମାଧାନ ପାଇଁ ଗତ ୨୯ ତାରିଖରେ ତହସିଲ କାର୍ଯ୍ୟାଳୟରେ ଗଣଧାରଣା ଦେବା ନେଇ ସୂଚନା ଦିଆଯାଇଥିଲା। ତେବେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରି ସୋମବାର ସକାଳ ୧୦ଟାରୁ ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟରେ ଧାରଣା ଆରମ୍ଭ କରିଥିଲେ।

ଧାରଣା ସମୟରେ ତହସିଲଦାର ଅନୁପସ୍ଥିତ ଥିବାରୁ କାର୍ଯ୍ୟାଳୟ ପକ୍ଷରୁ ଧାରଣା ପ୍ରତ୍ୟାହାର ପାଇଁ ଆଲୋଚନା କରାଯାଇଥିଲା। କିନ୍ତୁ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ ଧାରଣାକାରୀମାନେ ଦାବି କରିଥିଲେ। ଏହା ମିଳିନଥିବାରୁ କାର୍ଯ୍ୟାଳୟ ବନ୍ଦ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା।

ଗ୍ରାମବାସୀଙ୍କ ଦାବି ଅନୁସାରେ, ଗୁଆଳିଗାଁ ମୌଜାରେ ବିଭିନ୍ନ କିସମର ମୋଟ ୨୮ ଏକର ସରକାରୀ ଜମି ରହିଛି। ଏଥିମଧ୍ୟରୁ ୧୦ ଏକରରୁ ଅଧିକ ଜମି ଜବରଦଖଲ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଜମି ଜବରଦଖଲ ହଟାଇବା ପାଇଁ ତହସିଲ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ପ୍ରଶାସନିକ ପଦକ୍ଷେପ ନିଆଯାଇନଥିବା ସେମାନଙ୍କ ଅଭିଯୋଗ।

ଏହି ଗଣଧାରଣାରେ ଅଶୋକ ନାୟକ, ପ୍ରଦୀପ ମାଝୀ, ସୋମନାଥ ମାଝୀ, ଦିଲ୍ଲୀପ ବେହେରା, ଲମ୍ବୋଦର ନାୟକ, ପ୍ରଫୁଲ୍ଲ ନାୟକ, ଭାଗିରଥୀ ରାଉତ, ନୀଳମଣି ମଳିକ, ରବୀନ୍ଦ୍ର ମଳିକ, ଗୋପବନ୍ଧୁ ନାୟକ, ସମୀର ରଞ୍ଜନ ବେହେରା, ଜ୍ଞାନରଞ୍ଜନ ମଳିକ ଓ ଗୋଲେଖ ମାଝୀଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ। ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ଓ ଜବରଦଖଲ ହଟାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *