ବିପର୍ଯ୍ୟୟ ପ୍ରଭାବିତଙ୍କ ପାଇଁ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ସୁରକ୍ଷିତ ରହଣି ବ୍ୟବସ୍ଥା
ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଛି। ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ବ୍ୟବସ୍ଥା କରାଯାଇଛି।
ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ସୁରକ୍ଷିତ ରହଣି ସହ ଗରମ ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ନିତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏଥିସହ ପ୍ରଭାବିତ ଓ ବିସ୍ଥାପିତ ପରିବାରଗୁଡ଼ିକର ପରିଚୟପତ୍ର ଯାଞ୍ଚ କରାଯାଇ ପଞ୍ଜୀକରଣ କରିବା ସହ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଦିଆଯାଉଛି।
ଆଶ୍ରୟସ୍ଥଳୀଗୁଡ଼ିକରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ବ୍ୟବସ୍ଥାର ତଦାରଖ କରୁଛନ୍ତି। ବିଶେଷକରି ରାତ୍ରିକାଳୀନ ଖାଦ୍ୟ ବଣ୍ଟନ, ଆଶ୍ରୟ ନେଇଥିବା ଲୋକଙ୍କ ସୁବିଧା ଓ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି।
ଜନସାଧାରଣଙ୍କ ସୁରକ୍ଷିତ ରହଣି, ଖାଦ୍ୟପେୟ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
