ଅକ୍ଟୋବର ମାସର ଦରମା ପ୍ରଦାନ ଓ ପୁସ୍ତକ ହଜିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି
ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲାର ଦ୍ୱିତୀୟ ପୁରାତନ ମହାବିଦ୍ୟାଳୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ (ଜିସି କଲେଜ)ରେ ପରିଚାଳନା କମିଟିର ରିଜୋଲ୍ୟୁସନ୍ ବୁକ୍ ଗାଏବ୍ ହୋଇଥିବା ଅଭିଯୋଗକୁ ନେଇ ବିବାଦ ଦେଖାଦେଇଛି। ଏହି ପୁସ୍ତକ ଉଚ୍ଚଶିକ୍ଷା ବିଭାଗର ପୋର୍ଟାଲରେ ଦାଖଲ ହୋଇନପାରିବାରୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଅକ୍ଟୋବର ମାସର ଦରମା ବନ୍ଦ ରହିଥିବା ଜଣାପଡ଼ିଛି।
ଦରମା ବନ୍ଦ ଓ ପରିଚାଳନା କମିଟିର ରିଜୋଲ୍ୟୁସନ୍ ବୁକ୍ ହଜିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମଙ୍ଗଳବାର ଅପରାହ୍ନରେ ମହାବିଦ୍ୟାଳୟ ପରିସରରେ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀମାନେ ଅହୋରାତ୍ର ଧାରଣା ଆରମ୍ଭ କରିଛନ୍ତି।
କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ପରିଚାଳନା କମିଟିର ରିଜୋଲ୍ୟୁସନ୍ ବୁକ୍ ଉପଲବ୍ଧ ନଥିବାରୁ ଏହାକୁ ଉଚ୍ଚଶିକ୍ଷା ବିଭାଗର ପୋର୍ଟାଲରେ ଅପଲୋଡ୍ କରାଯାଇପାରିନାହିଁ। ଫଳରେ ସରକାରୀ ବେତନ ପାଉଥିବା ମହାବିଦ୍ୟାଳୟର କର୍ମଚାରୀମାନେ ଅକ୍ଟୋବର ମାସର ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି।
ଏନେଇ ଧାରଣାରେ ବସିଥିବା କର୍ମଚାରୀମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ସେମାନେ ରିଜୋଲ୍ୟୁସନ୍ ବୁକ୍ ହଜିବା ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ସହ ଅଟକି ରହିଥିବା ଦରମା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ମହାବିଦ୍ୟାଳୟର କିଛି ଅଧ୍ୟାପକ ଓ କର୍ମଚାରୀ ଏହି ଧାରଣାରେ ସାମିଲ ହୋଇନଥିବା ଘଟଣା ମଧ୍ୟ ଆଲୋଚନାର ବିଷୟ ହୋଇଛି। ତେବେ ସେମାନେ ଧାରଣାରେ ଯୋଗ ନଦେବାର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଦାବି ପୂରଣ ନହେବା ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ଅହୋରାତ୍ର ଧାରଣା ଜାରି ରହିବ ବୋଲି ଧାରଣାରତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ଏହି ଘଟଣାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଉଚ୍ଚଶିକ୍ଷା ବିଭାଗର ପକ୍ଷ କ’ଣ, ତାହା ଜଣାପଡ଼ିବା ବାକି ରହିଛି।
