ସଚ୍ଚୋଟତା ଓ ନୈତିକତାର ଶପଥ ନେଲେ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ
ବରୀ, (ଓଡ଼ିଶ୍ରୀ ସମ୍ବାଦ): ବରୀ ବ୍ଲକ୍ର ବାଲିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ, ପ୍ରଶାସନିକ ସ୍ୱଚ୍ଛତା ଏବଂ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଥିଲେ।
ନିଜ ବକ୍ତବ୍ୟରେ ଅଧ୍ୟକ୍ଷ ଡ. ଦାସ କହିଥିଲେ ଯେ, ସଚ୍ଚୋଟତା ଓ ନୈତିକତା ଏକ ସୁସ୍ଥ ଏବଂ ପ୍ରଗତିଶୀଳ ରାଷ୍ଟ୍ର ଗଠନର ମୂଳଦୁଆ। ଦୁର୍ନୀତିମୁକ୍ତ ସମାଜ ଗଠନରେ ଛାତ୍ରସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯୁବପିଢ଼ି ନିଜ ଜୀବନରେ ଆଦର୍ଶ ମୂଲ୍ୟବୋଧ ବଜାୟ ରଖିବା ସହ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସାମୂହିକ ଭାବେ ସତ୍ୟ, ନିଷ୍ଠା ଓ ସାଧୁତାର ଶପଥ ଗ୍ରହଣ କରିଥିଲେ। କୌଣସି ପ୍ରକାର ଅସଦାଚରଣ କିମ୍ବା ଦୁର୍ନୀତିକୁ ପ୍ରଶ୍ରୟ ନଦେବା ସହ ସଚ୍ଚୋଟତାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।
ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଓ ୟୁଥ୍ ରେଡ୍କ୍ରସ୍ ସ୍ୱେଚ୍ଛାସେବୀଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।
