ପାଟଣା (ଓଡ଼ିଶ୍ରୀ ସମ୍ବାଦ): କୁଡୁମୀ ସମାଜର ପାରମ୍ପରିକ ସଂସ୍କୃତି, ରୀତିନୀତି ଓ ପରମ୍ପରାର ଅନନ୍ୟ ପର୍ବ ଦେଶକରମ ପାଳନ ପୂର୍ବରୁ ବୈତରଣୀ ନଦୀରୁ ବାଲି ଉଠା କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଛି। ସାହାରପଡା ବ୍ଲକ୍ ଧାନବେଣୀ ଗ୍ରାମ ନିକଟସ୍ଥ ବୈତରଣୀ ନଦୀଘାଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ପୂଜାପାଠ ସାଙ୍ଗକୁ ଝୁମର ନାଚ ଓ ଗୀତରେ ଉତ୍ସବମୁଖର ହୋଇଥିଲା ନଦୀକୂଳ।
ଏହି ଅବସରରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ କୁଡୁମୀ ଭାଇଭଉଣୀଙ୍କ ସମେତ ମହାନ୍ତ ସମ୍ପ୍ରଦାୟର ମହିଳାମାନେ ସାମିଲ ହୋଇଥିଲେ। କୁଆଁରୀ ଯୁବତୀମାନେ ଉପବାସ ରହି ପ୍ରଥମେ ବୈତରଣୀ ନଦୀକୂଳରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ। ପୂଜାପାଠ ଶେଷ ପରେ ପାରମ୍ପରିକ ପଦ୍ଧତିରେ ନଦୀରୁ ବାଲି ଉଠାଇଥିଲେ।
କୁଡୁମୀ ସମାଜର ବିଶ୍ୱାସ ଓ ପରମ୍ପରା ଅନୁଯାୟୀ, କୁଆଁରୀ ଯୁବତୀମାନେ ଭଲ ବିବାହ ଓ ସୁଖୀ ଦାମ୍ପତ୍ୟ ଜୀବନ କାମନା କରି ଏହି ପରମ୍ପରାରେ ସାମିଲ ହୋଇଥିଲେ। ସେହିପରି ସନ୍ତାନ ପ୍ରାପ୍ତି ପାଇଁ ମାନସିକ କରିଥିବା ମହିଳାମାନେ ମଧ୍ୟ ଉପବାସ ରହି ବାଲି ଉଠା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ବାଲି ଉଠା କାର୍ଯ୍ୟକ୍ରମ ପରେ ନଦୀକୂଳରେ ଜମିଥିଲା ଝୁମର ନାଚ ଓ ଗୀତର ଆସର। ଢୋଲ, ମାଦଳ ଓ ଝୁମର ସଙ୍ଗୀତର ତାଳେ ତାଳେ ମହିଳା ଓ ପୁରୁଷମାନେ ଏକାଠି ନାଚି ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ। ପାରମ୍ପରିକ ବେଶଭୂଷାରେ ସଜ୍ଜିତ ମହିଳାମାନଙ୍କ ଝୁମର ନୃତ୍ୟ ଉପସ୍ଥିତ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା।
କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଓଡ଼ିଶା କୁଡୁମୀ ସେନାର ଉପସଭାପତି ମିତ୍ରଭାନୁ ମହାନ୍ତ, ସମ୍ପାଦକ ବିଶ୍ୱଜିତ ମହାନ୍ତ, ମହିଳା ନେତ୍ରୀ ମଧୁସ୍ମିତା ମହାନ୍ତ, ଓଡ଼ିଶା ଦେଶକରମର ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତ, କୁଡୁମୀ ସମାଜର ସଭାପତି ଖିରୋଦ ଚନ୍ଦ୍ର ମହାନ୍ତ, ଦେଶକରମ କୋଅର୍ଡିନେଟର ଲକ୍ଷ୍ମୀଧର ମହାନ୍ତ ଓ ଚିଙ୍ଗୁଡ଼ିପୋଖରୀର ସଭାପତି ସୁରେନ୍ଦ୍ର ନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ବୈତରଣୀ ନଦୀରୁ ପାରମ୍ପରିକ ପଦ୍ଧତିରେ ସଂଗ୍ରହ କରାଯାଇଥିବା ବାଲିକୁ ଦେଶକରମ ପୂଜାରେ ବ୍ୟବହାର କରାଯିବ। ମିରିଗୀଖୋଜି ଗ୍ରାମ ନିକଟରେ ଦେଶକରମ ପର୍ବ ଅନୁଷ୍ଠିତ ହେବାକୁ ଥିବାରୁ କୁଡୁମୀ ସମାଜ ମଧ୍ୟରେ ଏନେଇ ଉତ୍ସାହ ଦେଖାଦେଇଛି।
ଦେଶକରମ ପର୍ବ କୁଡୁମୀ ସମାଜର ପାରମ୍ପରିକ ସଂସ୍କୃତି, ଭାଇଚାରା ଓ ସାମାଜିକ ଏକତାର ପ୍ରତିଫଳନ ବୋଲି ସମାଜ ପକ୍ଷରୁ କୁହାଯାଇଛି। ପାରମ୍ପରିକ ପୂଜାପଦ୍ଧତି ସହ ଝୁମର ନାଚ ଓ ଗୀତ ମାଧ୍ୟମରେ ଏହି ପରମ୍ପରାକୁ ଆଗକୁ ନେବାରେ ଯୁବପିଢ଼ି ମଧ୍ୟ ସାମିଲ ହୋଇଛନ୍ତି।
