ମା’ ଭଦ୍ରକାଳୀ ପୀଠ ଓ ଚରମ୍ପାଠାରେ ହେବ ସାଂସ୍କୃତିକ ସନ୍ଧ୍ୟା; ପ୍ରସ୍ତୁତି ବୈଠକରେ ଯୋଗଦେଲେ ବିଧାୟକ
ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକର ଐତିହାସିକ କାଳୀପୂଜାକୁ ଅଧିକ ଆକର୍ଷଣୀୟ ଓ ଭବ୍ୟ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ମା’ ଭଦ୍ରକାଳୀଙ୍କ ପୀଠ ଏବଂ ଚରମ୍ପାଠାରେ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର ସାଂସ୍କୃତିକ ସନ୍ଧ୍ୟାର ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଭଦ୍ରକ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ଯୋଗଦେଇ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ମନ୍ଦିର କମିଟିର ସଦସ୍ୟମାନଙ୍କ ସହିତ ବିଭିନ୍ନ ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା, କଳାକାରଙ୍କ ଅଂଶଗ୍ରହଣ ଏବଂ ଦର୍ଶକଙ୍କ ପାଇଁ ଆବଶ୍ୟକ ସୁବିଧା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଭଦ୍ରକର ଐତିହାସିକ କାଳୀପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଜିଲ୍ଲାର ଆସ୍ଥା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ପରିଚୟ। ଏହି ଆୟୋଜନ ମାଧ୍ୟମରେ ଭଦ୍ରକର ସମୃଦ୍ଧ କଳା ଓ ସଂସ୍କୃତିକୁ ରାଜ୍ୟସ୍ତରରେ ଅଧିକ ପରିଚିତ କରାଇବା ସହ ଉତ୍ସବର ଆକର୍ଷଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ପରମ୍ପରା ଓ ଆଧୁନିକତାର ସମନ୍ୱୟରେ ଚଳିତ ବର୍ଷର କାଳୀପୂଜାକୁ ସ୍ମରଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ, ମନ୍ଦିର କମିଟି ଓ ସଂସ୍କୃତି ବିଭାଗ ମିଳିତ ଭାବେ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।
