୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିୟମିତ ଅଧିକାରୀ ନାହାନ୍ତି; ସ୍ଥାୟୀ ନିଯୁକ୍ତି ଓ କାର୍ଯ୍ୟାଳୟରେ ନିୟମିତ ଉପସ୍ଥିତି ପାଇଁ ଦାବି
ତୁମୁଡ଼ିବନ୍ଧ (ଓଡ଼ିଶ୍ରୀ ସମ୍ବାଦ): ଚାଷୀଙ୍କ ଆୟ ବୃଦ୍ଧି ଓ ଆର୍ଥିକ ସ୍ୱାବଲମ୍ବନ ପାଇଁ ସରକାର ଉଦ୍ୟାନ କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନା ଏବଂ ସହାୟତା ଯୋଗାଇ ଦେଉଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍ରେ ଉଦ୍ୟାନ ବିଭାଗରେ ସ୍ଥାୟୀ ଅଧିକାରୀ ନଥିବାରୁ ଚାଷୀମାନେ ଏହି ଯୋଜନାର ସୁଫଳ ପାଇବାରେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ତୁମୁଡ଼ିବନ୍ଧ ଉଦ୍ୟାନ ବିଭାଗରେ ସ୍ଥାୟୀ ଅଧିକାରୀ ନାହାନ୍ତି। ବର୍ତ୍ତମାନ କୋଟଗଡ଼ ଉଦ୍ୟାନ ବିଭାଗର ଅଧିକାରୀ ରାଜକିଶୋର ମାଝୀ ଅତିରିକ୍ତ ଦାୟିତ୍ୱରେ ରହିଥିବା ସୂଚନା ମିଳିଛି। ତେବେ ସେ ନିୟମିତ ଭାବେ ତୁମୁଡ଼ିବନ୍ଧ କାର୍ଯ୍ୟାଳୟକୁ ଆସୁନଥିବା ନେଇ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି।
କାର୍ଯ୍ୟାଳୟରେ ଜଣେ ଫିଲ୍ଡ କୋର୍ଡିନେଟର ଓ ଜଣେ ଉଦ୍ୟାନ ସାଥୀ ରହିଥିଲେ ମଧ୍ୟ ବିଭାଗୀୟ ଯୋଜନାର କାର୍ଯ୍ୟକାରିତା ଓ ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଯୋଗାଇବାରେ ଅଭିଜ୍ଞ ଅଧିକାରୀଙ୍କ ଅଭାବ ଅନୁଭୂତ ହେଉଥିବା କୁହାଯାଉଛି। ଫଳରେ ଉଦ୍ୟାନ କୃଷି ସମ୍ପର୍କିତ ବିଭିନ୍ନ ଯୋଜନା, ସରକାରୀ ସହାୟତା, ଚାରା ବଣ୍ଟନ, ଅନୁଦାନ ଓ ଅନ୍ୟାନ୍ୟ ସୁବିଧା ବିଷୟରେ ସଠିକ୍ ସୂଚନା ପାଇବାକୁ ଚାଷୀମାନଙ୍କୁ ହଇରାଣ ହେବାକୁ ପଡ଼ୁଛି।
ସରକାର ଉଦ୍ୟାନ କୃଷିର ବିକାଶ ପାଇଁ ଅର୍ଥ ବ୍ୟୟ କରୁଥିବା ବେଳେ ତୁମୁଡ଼ିବନ୍ଧରେ ବିଭାଗୀୟ କାର୍ଯ୍ୟର ଏଭଳି ସ୍ଥିତି କାହିଁକି, ତାହାକୁ ନେଇ ଚାଷୀ ମହଲରେ ପ୍ରଶ୍ନ ଉଠିଛି। ଜିଲ୍ଲା ଉଦ୍ୟାନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁମୁଡ଼ିବନ୍ଧ ବ୍ଲକ୍ରେ ଜଣେ ସ୍ଥାୟୀ ଓ ଅଭିଜ୍ଞ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ କାର୍ଯ୍ୟାଳୟକୁ ନିୟମିତ ଚାଲୁ ରଖିବାକୁ ଚାଷୀମାନେ ଦାବି କରିଛନ୍ତି।
