• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମୁରିବାହାଲ-ଟିଟିଲାଗଡ଼ ରାସ୍ତାରେ ଦୁର୍ଘଟଣା: ପିଇଟି ଶିକ୍ଷକଙ୍କ ମୃତ୍ୟୁ

Byodishri Live

Nov 5, 2026

ଚାଉଳଫୁଫୁଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ୍‌; ଘଟଣାସ୍ଥଳରେ ଚାଲିଗଲା ଜୀବନ

ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ମୁରିବାହାଲ-ଟିଟିଲାଗଡ଼ ରାସ୍ତାର ଚାଉଳଫୁଫୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ପିଇଟି ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟିଟିଲାଗଡ଼ ସିଲଭଟ୍ଟାପଡ଼ାର ୩୮ ବର୍ଷୀୟ ଜିତେନ୍ଦ୍ର ସୁନା।

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍‌ରେ ଜିତେନ୍ଦ୍ର ମୁରିବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜ କାର୍ଯ୍ୟ ସାରି ବାଇକ୍‌ ଯୋଗେ ଟିଟିଲାଗଡ଼ସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଚାଉଳଫୁଫୁଡ଼ା ଛକ ନିକଟରେ ତାଙ୍କ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଫଳରେ ସେ ଛିଟିକି ପଡ଼ି ମୁହଁରେ ଗୁରୁତର ଆଘାତ ପାଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଖବର ପାଇ ମୁରିବାହାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ମେଡିକାଲକୁ ପଠାଯାଇଥିଲା।

ଦୁର୍ଘଟଣାରେ ସମ୍ପୃକ୍ତ ଗାଡ଼ିର ନମ୍ବର ଓଡି-୦୩-ଡି-୧୨୦୮ ବୋଲି ସୂଚନା ଦିଆଯାଇଛି। ଦୁର୍ଘଟଣାର ସଠିକ୍‌ କାରଣ ସମ୍ପର୍କରେ ପୋଲିସର ତଦନ୍ତ ଓ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *