ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା; ଉତ୍ସବ ଆୟୋଜନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି
ପାରାଦୀପ, (ଓଡ଼ିଶ୍ରୀ ସମ୍ବାଦ): ଆଗାମୀ ‘କଳିଙ୍ଗ ବାଲିଯାତ୍ରା-୨୦୨୬’ ଆୟୋଜନ ପାଇଁ ପାରାଦୀପ ବେଳାଭୂମିରେ ଆଜି ଆନୁଷ୍ଠାନିକ ଭାବେ ଭୂମିପୂଜନ ଉତ୍ସବ ସମ୍ପନ୍ନ ହୋଇଛି। କଳିଙ୍ଗ ବାଲିଯାତ୍ରା କମିଟି, ପାରାଦୀପ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଗାମୀ ଉତ୍ସବର ସଫଳତା କାମନା କରିଥିଲେ।
ଏହି ଅବସରରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପାରାଦୀପ ପୌରପାଳିକାର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଏବଂ ପୌରପାଳିକା ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ। ସେମାନଙ୍କ ସହ ପୌରପାଳିକାର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେଇ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।
ଭୂମିପୂଜନ ସହ ଚଳିତ ବର୍ଷର ବାଲିଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ପର୍ବ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ପାରାଦୀପର ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ବାଣିଜ୍ୟିକ ଓ ସାଂସ୍କୃତିକ ପରିବେଶକୁ ସମୃଦ୍ଧ କରିବାରେ ଏହି ବାଲିଯାତ୍ରାର ଗୁରୁତ୍ୱ ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଚଳିତ ବର୍ଷର ବାଲିଯାତ୍ରାକୁ ସଫଳ ଓ ଆକର୍ଷଣୀୟ କରିବା ପାଇଁ ଆଶା ପ୍ରକାଶ କରାଯାଇଛି।
