୯୨ ବର୍ଷ ବୟସରେ ଦେହାନ୍ତ; ମାଆ ଥାନପତି ମନ୍ଦିରର ମୁଖ୍ୟଙ୍କ ବିୟୋଗରେ ଶୋକର ଛାୟା
ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ସହରର ବିଶିଷ୍ଟ ସମାଜସେବୀ ତଥା ପୁରୁଣାବଜାରସ୍ଥିତ ପ୍ରସିଦ୍ଧ ମାଆ ଥାନପତି ମନ୍ଦିରର ମୁଖ୍ୟ ଲାଲା ମଧୁସୂଦନ ରାୟଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୯୨ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛିଦିନ ଧରି ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଭଦ୍ରକ ସହର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସମାଜସେବା ଓ ଧାର୍ମିକ କାର୍ଯ୍ୟକଳାପ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଆଦରଣୀୟ ଥିଲେ।
ତାଙ୍କ ମରଶରୀର ଭଦ୍ରକରେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମକର୍ତ୍ତା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏବଂ ବିଶିଷ୍ଟ ସମାଜସେବୀ ଡାକ୍ତର ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ପରେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ୱର୍ଗତ ରାୟଙ୍କ ଏକମାତ୍ର ପୁତ୍ର ଲାଲା କାହ୍ନୁ ଚରଣ ରାୟ ମୁଖାଗ୍ନି ଦେଇଥିଲେ। ତାଙ୍କ ଶେଷଯାତ୍ରାରେ ବହୁ ବ୍ୟକ୍ତିବିଶେଷ, ସ୍ଥାନୀୟ ବାସିନ୍ଦା ଓ ମନ୍ଦିରର କାର୍ଯ୍ୟକର୍ତ୍ତା ଯୋଗଦେଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
