• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମୁରିବାହାଲ ବ୍ଲକରେ ୮ଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

Byodishri Live

Nov 7, 2026

ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ; ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟ ସାମିଲ

ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ୮ଟି ବିଦ୍ୟାଳୟକୁ ସାମିଲ କରାଯାଇଛି। ଏହି ପର୍ଯ୍ୟାୟରେ ସମଗ୍ର ରାଜ୍ୟର ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ମୁରିବାହାଲ ବ୍ଲକର ମୁରିବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟୁପାଉଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଟାବନ୍ଧ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପତ୍ରାପାଲି (କ) ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡ଼ସାଇମରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାନ୍ଧୁପଲା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଡଙ୍ଗରପଡ଼ା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପତ୍ରାପାଲି (ଖ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଶିଳାନ୍ୟାସ ସମାରୋହ ଆୟୋଜିତ ହୋଇଥିଲା।

ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ହଳଦୀ, କୁର୍ଲୁବାହାଲ ଓ ସର୍ଗୁଲ ବିଦ୍ୟାଳୟରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଦେଶିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଡ଼ିହାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହୋଇଥିଲା।

ମୁରିବାହାଲ କେଜିବିଭି ବିଦ୍ୟାଳୟରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନଶିକ୍ଷକ ଥୟରାଜ ପ୍ରଧାନୀ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ମଦନ ବାଗ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଡିଓ ବାସନ୍ତୀ ସେଠୀ, ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଓଏଭି ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ସିଆରସିସି ହୃଷିକେଶ ଶିକା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଦାମ ହିଆଲ, ୱାର୍ଡ ସଭ୍ୟ ବିଭୀଷଣ ଛୁରା ଓ ସମାଜସେବୀ ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଶେଷରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ବଡ଼ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *