• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ଦାଳ-ଏଣ୍ଡରପଦାରେ ପ୍ରସ୍ତାବିତ ସାପ୍ତାହିକ ହାଟ ସ୍ଥଳ ପରିଦର୍ଶନ କଲେ ମିଳିତ ପ୍ରଶାସନିକ ଟିମ୍‌

Byodishri Live

Nov 7, 2026

କଟକ, ଯାଜପୁର ଓ ଢେଙ୍କାନାଳର ପରିବା ଚାଷୀ ହେବେ ଉପକୃତ; ବୁଧବାର ଓ ରବିବାର ହାଟ ବସାଇବାକୁ ପ୍ରସ୍ତାବ

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳ-ଏଣ୍ଡରପଦା ସଂଯୋଗସ୍ଥଳରେ ପ୍ରସ୍ତାବିତ ସାପ୍ତାହିକ ହାଟ ପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ ମିଳିତ ପ୍ରଶାସନିକ ଟିମ୍‌ ପରିଦର୍ଶନ କରିଛି। ଗତକାଲି ଅଧିକାରୀମାନେ ସ୍ଥାନଟି ବୁଲି ଦେଖିବା ସହ ହାଟ ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପରାମର୍ଶ ଦେଇଥିଲେ।

ଏହି ହାଟ ଆରମ୍ଭ ହେଲେ କଟକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ପରିବା ଚାଷୀମାନେ ଉପକୃତ ହେବା ସହ ସ୍ଥାନୀୟ ଅଞ୍ଚଳରେ ପରିବା ଚାଷର ବିକାଶ ହେବ ବୋଲି ଆଶା କରାଯାଉଛି। ଚାଷୀମାନେ ନିଜ ଜମିରେ ଉତ୍ପାଦିତ ପରିବାକୁ ସହଜରେ ବିକ୍ରି କରିବା ପାଇଁ ଏହି ହାଟ ଏକ ସୁଯୋଗ ସୃଷ୍ଟି କରିବ। ପ୍ରସ୍ତାବ ଅନୁଯାୟୀ, ସପ୍ତାହକୁ ଦୁଇ ଦିନ—ବୁଧବାର ଓ ରବିବାର ହାଟ ବସିବ। ବନ୍ଦାଳ-ଏଣ୍ଡରପଦା ରାସ୍ତାର ଉଭୟ ପାର୍ଶ୍ୱରେ ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି।

ଏହି ହାଟ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ପ୍ରସ୍ତାବିତ ସ୍ଥାନର ଭୌଗୋଳିକ ଅବସ୍ଥିତି, ଆବଶ୍ୟକ ଭିତ୍ତିଭୂମି, ପରିବା ଚାଷ ପାଇଁ ଉପଯୁକ୍ତ ମୃତ୍ତିକା ଓ ଜଳସେଚନ ସୁବିଧା ଆଦିକୁ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଏହି ସ୍ଥାନରେ ସାପ୍ତାହିକ ହାଟ ଆରମ୍ଭ କରିବା ଏବଂ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା ଦିଗରେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି।

ପରିଦର୍ଶନରେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବଡ଼ଚଣା ଥାନା ଅଧିକାରୀ ଜଗଦୀଶ କର, ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ସନ୍ତୋଷ କୁମାର ବେହେରା, ବଡ଼ଚଣା ବିଡିଓଙ୍କ ପ୍ରତିନିଧି ଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହାସହ ବନ୍ଦାଳ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଶ୍ରୀଚରଣ ଜେନାଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ପ୍ରସ୍ତାବିତ ହାଟ ପାଇଁ ସ୍ଥାନ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି। ହାଟ ଆରମ୍ଭ ହେଲେ ପରିବା ଚାଷୀମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଉପଯୁକ୍ତ ବଜାର ପାଇବା ସହ ଅଞ୍ଚଳର କୃଷି ଓ ବାଣିଜ୍ୟିକ କାରବାରରେ ଉନ୍ନତି ହେବ ବୋଲି ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *