• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବି: ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ଗ୍ରାମବାସୀ

Byodishri Live

Nov 7, 2026

ତହସିଲଦାରଙ୍କ ନୋଟିସ୍‌ ସତ୍ତ୍ୱେ ଉଚ୍ଛେଦ ହୋଇନଥିବା ଅଭିଯୋଗ; ୧୫ ଦିନ ମଧ୍ୟରେ ସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବରୀ ତହସିଲ ଅନ୍ତର୍ଗତ କହରାଗଣ୍ଡ ଗ୍ରାମରେ ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହୋଇଛନ୍ତି। ତହସିଲ ପ୍ରଶାସନ ପକ୍ଷରୁ ପୂର୍ବରୁ ଉଚ୍ଛେଦ ପାଇଁ ନୋଟିସ୍‌ ଜାରି ହୋଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, କହରାଗଣ୍ଡ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ ସର୍ବସାଧାରଣ ଜମିର ଖାତା ନମ୍ବର ୫୧୫ ଓ ପ୍ଲଟ୍‌ ନମ୍ବର ୧୧୬୧ରେ ଥିବା ୦.୧୪ ଡେସିମିଲ ଜମିକୁ ପ୍ରେମଲତା ସାମଲ ଓ ଜିତନ ସାମଲ ନାମକ ଦୁଇଜଣ ବାଡ଼ ବାନ୍ଧି ଅବରୋଧ କରିଛନ୍ତି। ଏହା ସହ ଉକ୍ତ ସ୍ଥାନରେ ପାଇଖାନା ଓ ନଳକୂପ ପାଇଁ ପିଣ୍ଡି ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଜମିର କିସମ ‘ଜଳାଶୟ-୨’ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ଏହି ଘଟଣାକୁ ନେଇ ଗ୍ରାମବାସୀ ବାରମ୍ବାର ବରୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଚଳିତ ବର୍ଷ ଏପ୍ରିଲ ୨୭ ତାରିଖରେ ପତ୍ର ସଂଖ୍ୟା ୧୬୪୯ ମାଧ୍ୟମରେ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍‌ ଜାରି ହୋଇଥିଲା। ତେବେ ନୋଟିସ୍‌ ସତ୍ତ୍ୱେ ଉଚ୍ଛେଦ କାର୍ଯ୍ୟ ହୋଇନଥିବା ଗ୍ରାମବାସୀଙ୍କ ଅଭିଯୋଗ।

ପରବର୍ତ୍ତୀ ସମୟରେ ଜୁଲାଇ ୨୦ ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ନିର୍ମଳ ଚନ୍ଦ୍ର ସେଠୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗଟି ପଞ୍ଜିକୃତ ହେବା ପରେ ୧୫ ଦିନ ମଧ୍ୟରେ ଏହାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ମିଳିଥିବା ଜଣାପଡ଼ିଛି।

କିନ୍ତୁ ଏଯାଏଁ ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ କହିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଜମିର ରେକର୍ଡ ଯାଞ୍ଚ କରି ତୁରନ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *