ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ପାରିବାରିକ ସମ୍ପର୍କର ସୁରକ୍ଷା ସହ ଶିଶୁଙ୍କ ମାନସିକ ଓ ଭାବନାତ୍ମକ କଲ୍ୟାଣକୁ ଗୁରୁତ୍ୱ ଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ), ନୂଆପଡ଼ାର ହସ୍ତକ୍ଷେପରେ ଏକ ଭାବପ୍ରବଣ ସାକ୍ଷାତ ସମ୍ଭବ ହୋଇଛି। ଖଡ଼ିଆଳ ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ପ୍ରାୟ ଏକ ବର୍ଷ ପରେ ନିଜ ନାବାଳିକା ଝିଅକୁ ଭେଟିବାର ସୁଯୋଗ ପାଇଛନ୍ତି।
ସୂଚନା ଅନୁଯାୟୀ, ପତ୍ନୀଙ୍କ ମୃତ୍ୟୁ ସମ୍ପର୍କିତ ଏକ ହତ୍ୟା ମାମଲାରେ ବିଚାରାଧୀନ ଥିବା ଏହି ବ୍ୟକ୍ତି ଖଡ଼ିଆଳ ଉପକାରାଗାରରେ ଅଛନ୍ତି। କାରାଗାରରେ ରହୁଥିବାରୁ ସେ ଦୀର୍ଘ ପ୍ରାୟ ଏକ ବର୍ଷ ଧରି ନିଜ ନାବାଳିକା ଝିଅକୁ ଭେଟିପାରି ନଥିଲେ। ଝିଅ ସହ ସାକ୍ଷାତ ପାଇଁ ଅନୁମତି ଦେବାକୁ ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଓ କାରାଗାର କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ।
ଏହି ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ସଚିବ ନବନୀତା ଦାଶ ଖଡ଼ିଆଳସ୍ଥିତ ଏକ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ଉକ୍ତ କଏଦୀଙ୍କ ଏକମାତ୍ର ଝିଅ ସେପ୍ଟେମ୍ବର ୨୦୨୫ରୁ ରହୁଥିବା ଏବଂ ଦୀର୍ଘ ଦିନ ଧରି ବାପାଙ୍କୁ ଭେଟିପାରି ନଥିବା ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ।
ଏହାପରେ ସଚିବ ତୁରନ୍ତ ହସ୍ତକ୍ଷେପ କରି ସମ୍ପୃକ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଶିଶୁ ମଙ୍ଗଳ ସମିତି (CWC), ନୂଆପଡ଼ାଠାରୁ ଆବଶ୍ୟକ ଅନୁମତି ନେଇ ବାପା ଓ ଝିଅଙ୍କ ସାକ୍ଷାତର ବ୍ୟବସ୍ଥା କରିବାକୁ କହିଥିଲେ।
ଆବଶ୍ୟକ ଆଇନଗତ ଔପଚାରିକତା ପୂରଣ ହେବା ପରେ ଖଡ଼ିଆଳ ଉପକାରାଗାରର ମୁଲାକାତ୍ ଜେଲ୍ ଆଇନ ସହାୟତା କେନ୍ଦ୍ରରେ ଝିଅଟି ନିଜ ବାପାଙ୍କୁ ଭେଟିଥିଲା। ଦୀର୍ଘ ଦିନର ବିଚ୍ଛେଦ ପରେ ଏହି ସାକ୍ଷାତ ଉଭୟଙ୍କ ପାଇଁ ଭାବପ୍ରବଣ ମୁହୂର୍ତ୍ତ ପାଲଟିଥିଲା।
ଏହାପରେ ନୂଆପଡ଼ା ଶିଶୁ ମଙ୍ଗଳ ସମିତିଠାରୁ ଆବଶ୍ୟକ ଅନୁମତି ନେଇ ଝିଅଟିକୁ ନିୟମିତ ଭାବେ ଉପକାରାଗାରକୁ ଆଣି ବାପାଙ୍କ ସହ ସାକ୍ଷାତ କରାଇବାକୁ ସଚିବ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
