• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମୟୂରଭଞ୍ଜର ସୁମିତ୍ରାଙ୍କୁ ଜାତୀୟ ଦଳରେ ସୁଯୋଗ: ଅଣ୍ଡର-୨୦ ଭାରତୀୟ ମହିଳା ରଗ୍‌ବୀ ଦଳରେ ହେଲେ ସାମିଲ

Byodishri Live

Nov 7, 2026

ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ମୟୂରଭଞ୍ଜ ଜିଲ୍ଲାର କ୍ରୀଡ଼ା ଜଗତ ପାଇଁ ଆଉ ଏକ ଗର୍ବର ଖବର। ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀର ଖେଳାଳି ସୁମିତ୍ରା ମୁର୍ମୁ ୨୦ ବର୍ଷରୁ କମ୍ ଭାରତୀୟ ମହିଳା ରଗ୍‌ବୀ ସେଭେନ୍ସ ଦଳରେ ସ୍ଥାନ ପାଇଛନ୍ତି। ନଭେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ୨୦୨୬ ପ୍ରତିଯୋଗିତାରେ ସେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ।

ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡେମୀରେ ପ୍ରଶିକ୍ଷଣ ନେଇ ସୁମିତ୍ରା ନିଜର ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଏହି ଚୟନ ଏକାଡେମୀ ସହ ସମଗ୍ର ମୟୂରଭଞ୍ଜ ଓ ଓଡ଼ିଶା ପାଇଁ ଗୌରବ ଆଣିଛି।

ଉଲ୍ଲେଖଯୋଗ୍ୟ, ସୁମିତ୍ରା ବାରିପଦା ପୌରପାଳିକାର ସଫେଇ କର୍ମଚାରୀ ରାମ ମୁର୍ମୁଙ୍କ ଝିଅ। ଏହା ପୂର୍ବରୁ ସେ ୧୮ ବର୍ଷରୁ କମ୍ ଭାରତୀୟ ମହିଳା ରଗ୍‌ବୀ ଦଳରେ ମଧ୍ୟ ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ତାଙ୍କର ଏହି ସଫଳତା ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଅନ୍ୟ ଯୁବ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

ସୁମିତ୍ରାଙ୍କ ଏହି ସଫଳତା ପାଇଁ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ବିଜୟ କୁମାର ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଯୁବ ସମାଜସେବୀ ରାକେଶ ସିଂ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ ଓ ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଏବଂ ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର ଓ ଅଜିତ କୁମାର ହାଁସଦା ଶୁଭେଚ୍ଛା ଜଣାଇଛନ୍ତି।

ଏଥିସହ ମୟୂରଭଞ୍ଜ ଜିଲ୍ଲା ରଗ୍‌ବୀ ସଂଘ, ଓଡ଼ିଶା ରଗ୍‌ବୀ ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗ ପାଇଁ ଏକାଡେମୀର ଖେଳାଳି ଓ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *