• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବୌଦ୍ଧରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

Byodishri Live

Sep 22, 2026

ବୌଦ୍ଧ: ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଭିଯାନ ଅଧୀନରେ ବୌଦ୍ଧ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ତାଲିକା ଉନ୍ମୋଚନ କରିଛନ୍ତି।

ବୈଠକ ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଇଆରଓ ଅନିରୁଦ୍ଧ ପ୍ରଧାନ ଉପସ୍ଥିତ ଅତିଥି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଜିଲ୍ଲାପାଳ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ସଂଶୋଧନ ପ୍ରକ୍ରିୟା ସମୟରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସତ୍ୟାପନ କରିଥିଲେ। ପଞ୍ଚାୟତ ସ୍ତରରେ ମଧ୍ୟ ଶୁଣାଣି ଆୟୋଜନ କରାଯାଇଥିଲା। ଯାଞ୍ଚ ପରେ ମୃତ୍ୟୁ, ସ୍ଥାନାନ୍ତରଣ, ଅନୁପସ୍ଥିତି ଓ ଦ୍ୱୈତ ନାମ ଥିବା କାରଣରୁ ନିୟମାନୁସାରେ ମୋଟ ୫୮୮ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଅନ୍ୟପକ୍ଷରେ, ଫର୍ମ-୬ ମାଧ୍ୟମରେ ନୂତନ ଭୋଟରଙ୍କ ନାମ ସାମିଲ କରାଯାଇଛି ଏବଂ ଖସଡ଼ା ତାଲିକା ଉପରେ ଆସିଥିବା ଦାବି ଓ ଆପତ୍ତିର ସମାଧାନ କରାଯାଇଛି।

ନିର୍ବାଚନମଣ୍ଡଳୀ ଅନୁଯାୟୀ, ୮୫-କଣ୍ଟାମାଳ ନିର୍ବାଚନମଣ୍ଡଳୀରେ ୧,୬୫,୪୦୦ ଜଣ ଏବଂ ୮୬-ବୌଦ୍ଧ ନିର୍ବାଚନମଣ୍ଡଳୀରେ ୧,୬୦,୪୮୬ ଜଣ ଭୋଟର ରହିଛନ୍ତି। ସମଗ୍ର ଜିଲ୍ଲାରେ ପୁରୁଷ ଭୋଟର ୧,୬୭,୨୮୭ ଜଣ, ମହିଳା ଭୋଟର ୧,୫୮,୫୮୮ ଜଣ ଏବଂ ତୃତୀୟ ଲିଙ୍ଗର ୧୧ ଜଣଙ୍କୁ ମିଶାଇ ମୋଟ ୩,୨୫,୮୮୬ ଜଣ ଭୋଟର ରହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଥିଲେ ଯେ, ଯୁବ, ପ୍ରଥମ ଥର ଭୋଟର ଓ ମହିଳା ଭୋଟରଙ୍କ ନାମ ପଞ୍ଜୀକରଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଯୋଗ୍ୟ ନାଗରିକଙ୍କ ନାମ ଯଦି ଏପର୍ଯ୍ୟନ୍ତ ତାଲିକାରେ ସାମିଲ ହୋଇନଥାଏ, ତେବେ ପୁନର୍ବାର ଆବେଦନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ତଥା ଇଆରଓ ବିନୟ କୁମାର ଭୋଇ, ଡେପୁଟି କଲେକ୍ଟର (ନିର୍ବାଚନ) ମନସୀତ ସ୍ୱରୂପଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *