ନବରଙ୍ଗପୁର (ଓଡ଼ିଶ୍ରୀ ସମ୍ବାଦ): ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଛି। ଏଥିରେ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ଚିନ୍ତା ବଢ଼ିଛି। ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ସ୍ଥିତି ଅଧିକ ଚିନ୍ତାଜନକ ବୋଲି ଚାଷୀମାନେ କହିଛନ୍ତି।
ଚାଷୀଙ୍କ କହିବାନୁସାରେ, ଧାରକରଜ କରି ନିଜ ଶ୍ରମ ଓ ଅର୍ଥ ଖର୍ଚ୍ଚ କରି ଚାଷ କରିଥିବା ଫସଲ ଏବେ ପାଣିରେ ବୁଡ଼ି ରହିଛି। ଫସଲ ବଞ୍ଚିବ କି ନାହିଁ, ତାହାକୁ ନେଇ ସେମାନେ ଚିନ୍ତାରେ ଅଛନ୍ତି।
ଚାଷୀମାନଙ୍କ ଅଭିଯୋଗ ହେଉଛି, କ୍ଷତିଗ୍ରସ୍ତ ଚାଷଜମିକୁ କୃଷି କିମ୍ବା ଉପକୃଷି ବିଭାଗର କର୍ମଚାରୀମାନେ ପହଞ୍ଚି ପ୍ରତ୍ୟକ୍ଷ ଭାବେ କ୍ଷୟକ୍ଷତି ଆକଳନ କରିନାହାନ୍ତି। କେବଳ ଫଟୋ ଆଧାରରେ କ୍ଷୟକ୍ଷତି ଆକଳନ କରାଯାଉଥିବା ନେଇ ମଧ୍ୟ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।
ଚାଷୀଙ୍କ ପ୍ରଶ୍ନ, କ୍ଷତିଗ୍ରସ୍ତ ଜମିକୁ ନଯାଇ କେବଳ ଫଟୋ ଆଧାରରେ ପ୍ରକୃତ କ୍ଷୟକ୍ଷତିର ସଠିକ୍ ଆକଳନ କିପରି ସମ୍ଭବ? ତେଣୁ ଅଧିକାରୀମାନେ ନିଜେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ନିରପେକ୍ଷ ଭାବେ କ୍ଷୟକ୍ଷତି ଆକଳନ କରନ୍ତୁ ବୋଲି ଦାବି ହୋଇଛି।
ଏନେଇ କୃଷି ବିଭାଗର ଜଣେ କର୍ମଚାରୀଙ୍କୁ ପଚାରିବାରୁ, କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ରହିଥିବା ସେ କହିଥିବା ବେଳେ ପ୍ରତ୍ୟେକ ଚାଷୀଙ୍କ କ୍ଷେତରେ ପହଞ୍ଚି କ୍ଷତି ଆକଳନ ସମ୍ପର୍କରେ ତାଙ୍କୁ ଅଲଗା ଭାବେ ଦାୟିତ୍ୱ ଦିଆଯାଇନଥିବା କହିଛନ୍ତି। ଅନ୍ୟପକ୍ଷରେ, ଉପକୃଷି ଅଧିକାରୀଙ୍କ ପକ୍ଷରୁ ଏକ ଏନ୍ଜିଓକୁ ଏ ସମ୍ପର୍କିତ କାର୍ଯ୍ୟ ଦିଆଯାଇଥିବା କୁହାଯାଇଥିବା ଜଣାପଡ଼ିଛି।
ଚାଷୀମାନଙ୍କ ଦାବି, ପ୍ରକୃତ କ୍ଷୟକ୍ଷତି ଆକଳନ କରି ଯୋଗ୍ୟ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ ଶୀଘ୍ର ସହାୟତା ପ୍ରଦାନ କରାଯାଉ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୫ରେ ନନ୍ଦାହାଣ୍ଡିରେ ୩୪୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଭାରୀ ବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ରିପୋର୍ଟ ହୋଇଛି।
କ୍ଷୟକ୍ଷତି ଆକଳନ ଓ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ଚାଷୀଙ୍କ ନଜର ରହିଛି।
