• Thu. Mar 19th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାଜ୍ୟରେ ସ୍ମାର୍ଟ ମିଟର ଲଗାଣିକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

Byodishri Live

Jan 3, 2026

ରାଜ୍ୟର ବିଦ୍ୟୁତ ବ୍ୟବସ୍ଥାକୁ ଆଧୁନିକ ଓ ପ୍ରଯୁକ୍ତିସମ୍ପନ୍ନ କରିବା ଲକ୍ଷ୍ୟରେ ସରକାର ଘରେଘରେ ସ୍ମାର୍ଟ ମିଟର ଲଗାଇବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ବନ୍ଧରେ କ୍ୟାବିନେଟ ମଞ୍ଜୁରି ପରେ ଶକ୍ତି ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ସମଗ୍ର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗାଇଡ୍‌ଲାଇନ ଅନୁସାରେ, ରାଜ୍ୟରେ ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଥିବା ଉପଭୋକ୍ତାଙ୍କ ଘରେ ପୁରୁଣା ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ଏହି ପର୍ଯ୍ୟାୟରେ ୮ ଲକ୍ଷ ୭୫ ହଜାର ଉପଭୋକ୍ତାଙ୍କ ମିଟର ବଦଳାଯିବ। ଏହା ପାଇଁ ପ୍ରାୟ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସେହିପରି, ନୂଆ ବିଦ୍ୟୁତ ସଂଯୋଗ ନେବାକୁ ଯାଉଥିବା ଉପଭୋକ୍ତାଙ୍କ ପାଇଁ ମଧ୍ୟ ସ୍ମାର୍ଟ ମିଟର ବ୍ୟବସ୍ଥା ରହିବ। ଏହି ଶ୍ରେଣୀରେ ୨ ଲକ୍ଷ ୭୮ ହଜାର ୧୦୦ ଜଣ ଉପଭୋକ୍ତା ସାମିଲ ହେବେ। ନୂଆ ସଂଯୋଗ ସହ ସ୍ମାର୍ଟ ମିଟର ଲଗାଇବା ପାଇଁ ପ୍ରାୟ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହା ସହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ମାର୍ଚ୍ଚ ୨୦୨୫ ପୂର୍ବରୁ ଯେଉଁ ଉପଭୋକ୍ତାମାନେ ନିଜ ଘରେ ସ୍ମାର୍ଟ ମିଟର ଲଗାଇ ସାରିଛନ୍ତି, ସେମାନଙ୍କୁ ମିଟର ଭଡା ବାବଦକୁ ସରକାର ଅର୍ଥ ବହନ କରିବେ। ଏହି ଖାତାରେ ପ୍ରାୟ ୩୦୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସ୍ମାର୍ଟ ମିଟର ଯୋଜନା ଆସିବା ପରେ ବିଦ୍ୟୁତ ବିଲିଂ ପ୍ରଣାଳୀ ଅଧିକ ସ୍ପଷ୍ଟ ଓ ସହଜ ହେବ। ଉପଭୋକ୍ତାମାନେ ନିଜ ବିଦ୍ୟୁତ ବ୍ୟବହାର ଉପରେ ନିଜେ ନଜର ରଖିପାରିବେ ଏବଂ ଅତିରିକ୍ତ ବିଲ୍‌ ଆସିବା ସମସ୍ୟା କମିବ। ସେହିପରି, ବିଦ୍ୟୁତ ବିଭାଗ ପାଇଁ ମଧ୍ୟ ରାଜସ୍ୱ ଆଦାୟ ଓ ପ୍ରବନ୍ଧନ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *