ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବରୀ ବ୍ଲକ ବରହମପୁର ଗ୍ରାମର ଓଡ଼ିଆ ବୈଜ୍ଞାନିକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ଶେଖର ସାମଲଙ୍କୁ ‘ଶ୍ରେଷ୍ଠ ଉଦ୍ୟୋଗୀ ପୁରସ୍କାର’ ପ୍ରଦାନ କରାଯାଇଛି। ଗତ ୩ ତାରିଖରେ ନୂଆଦିଲ୍ଲୀସ୍ଥିତ ଏନ୍ଡିଏମ୍ସି କନଭେନ୍ସନ ସେଣ୍ଟରରେ ଆୟୋଜିତ ୫ମ ଉଦ୍ୟୋଗୀ ସମ୍ମିଳନୀ-୨୦୨୬ରେ ତାଙ୍କୁ ଏହି ସମ୍ମାନ ମିଳିଛି।
ସ୍ୱର୍ଗତ ହୃଷିକେଶ ସାମଲଙ୍କ ପୁଅ ଶୁଭ୍ରାଂଶୁ ଶେଖର ସାମଲଙ୍କୁ ଭାରତୀୟ ଉଦ୍ୟୋଗୀ ସଂଘ (ଇଏଆଇ)ର ସଭାପତି ଅଭିଷେକ ସିଂହ, ସୁପ୍ରିମକୋର୍ଟର ଓକିଲ ବିକାଶ ପ୍ରୀତମ ଏବଂ ବିଶ୍ୱବ୍ୟାଙ୍କର ପୂର୍ବତନ ଯୋଗାଣ ଶୃଙ୍ଖଳା ବିଶେଷଜ୍ଞ ତଥା ପରାମର୍ଶଦାତା ରାଜେଶ ସିଂହ ଏହି ପୁରସ୍କାର ପ୍ରଦାନ କରିଥିଲେ।
ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଦିଗରେ ତାଙ୍କ ଉଦ୍ୟମ ଏବଂ ଏଚ୍ଏନ୍ ଟେକ୍ନୋଭେସନ୍ର ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିପର୍ଯ୍ୟୟ ସମୟରେ ଯେଉଁ ଅଞ୍ଚଳର ଲୋକେ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚିତ ହୁଅନ୍ତି, ସେଠାରେ ତାଙ୍କ ଉଦ୍ୟମରେ ପୋର୍ଟେବଲ୍ ପାନୀୟ ଜଳ ଯୋଗାଣ କରାଯାଉଛି।
ଚଳିତ ବର୍ଷ ଆସାମ, ତ୍ରିପୁରା ଓ ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ତାଙ୍କ ଟିମ୍ ପକ୍ଷରୁ ଅଭାବୀ ଲୋକଙ୍କୁ ପୋର୍ଟେବଲ୍ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏହି ମହତ୍ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଟିମ୍କୁ ଡବ୍ଲ୍ୟୁଏଚ୍ଓ, ୟୁନିସେଫ୍, ରିଲାଏନ୍ସ ଫାଉଣ୍ଡେସନ୍, ଜ୍ୟୋତି ଫାଉଣ୍ଡେସନ୍ ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ପକ୍ଷରୁ ମଧ୍ୟ ସ୍ୱୀକୃତି ମିଳିଥିବା କୁହାଯାଇଛି।
ଶୁଭ୍ରାଂଶୁ ଶେଖର ସାମଲ ବାଲିବିଲସ୍ଥିତ କନକ ଦୁର୍ଗା ବିଦ୍ୟାପୀଠର ପୂର୍ବତନ ଛାତ୍ର। ବରୀ ମାଟିର ଏହି ପ୍ରତିଭାଙ୍କୁ ଜାତୀୟସ୍ତରରେ ମିଳିଥିବା ଏହି ସମ୍ମାନ ଅଞ୍ଚଳବାସୀଙ୍କ ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ସମ୍ମାନର ବିଷୟ ପାଲଟିଛି।
