ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଓ ଲୁକ୍କାୟିତ ପ୍ରତିଭାର ବିକାଶ ସହ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ମଞ୍ଚ ଯୋଗାଇଦେବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗାପାଙ୍ଗାରେ ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି–୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପାଙ୍ଗା ଗ୍ରାମପଞ୍ଚାୟତସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ମହୋତ୍ସବରେ ଦୁର୍ଗାପାଙ୍ଗା ଆଞ୍ଚଳିକ ସାଧନକେନ୍ଦ୍ର (CRC) ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଚିତ୍ରାଙ୍କନ, କବିତା ଆବୃତ୍ତି, କୁଇଜ୍, ନୃତ୍ୟ, ସଙ୍ଗୀତ ଓ ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗିତାରେ ପିଲାମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଏହି ମହୋତ୍ସବରେ ଇର୍ପିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କାର ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ ଏହି ସଫଳତାକୁ ନେଇ ବିଦ୍ୟାଳୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ବିଦ୍ୟାଳୟର ଶିକ୍ଷକ ପ୍ରହଲ୍ଲାଦ ସେନାପତି ଓ ଶିକ୍ଷୟିତ୍ରୀ ଶୁଚିସ୍ମିତା ଦେହୁରୀ ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଖୁସି ପ୍ରକାଶ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶିଶୁ ମହୋତ୍ସବ ‘ସୁରଭି’ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ କରିବାରେ ସହାୟକ ହୋଇଥାଏ। ଏଭଳି ମହୋତ୍ସବ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ସାଂସ୍କୃତିକ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ଶିକ୍ଷାବିତ୍ ମହଲରେ ମତ ପ୍ରକାଶ ପାଇଛି।
