ଶ୍ରଦ୍ଧା ଓ ଭକ୍ତିର ସହ ଭାଗବତ ଶ୍ରବଣ କଲେ ଶତାଧିକ ଭକ୍ତ
କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ବିଜାହାଏନ ଭାଗବତ ଟୁଙ୍ଗିରେ ଚାଲିଥିବା ସାପ୍ତାହିକ ଭାଗବତ ପାରାୟଣର ଷଷ୍ଠ ଦିବସ ଧାର୍ମିକ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ କର୍ତ୍ତା ସୁବାସ ଭୋଇ ଓ ତାଙ୍କ ସହଧର୍ମିଣୀ ମୀରା ଭୋଇଙ୍କ ସହ ଶରତ ଚନ୍ଦ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂର୍ଯ୍ୟପୂଜା, ଗୁରୁପୂଜା ଓ ବୃନ୍ଦାବତୀ ପୂଜା ସମ୍ପନ୍ନ ହୋଇଥିଲା।
ଏହାପରେ ଭାଗବତ ଗାଦିରେ ପୂଜାର୍ଚ୍ଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତର ଦଶମ ସ୍କନ୍ଧର ସପ୍ତତିତମ ଅଧ୍ୟାୟରୁ ପାରାୟଣ ଆରମ୍ଭ କରିଥିଲେ।
ମୁଖ୍ୟ ଶ୍ରୋତା ଦୁଃଖୁ ଭୋଇ, ଡିଗ୍ରୀ ଭୋଇ, ଟଭା ପ୍ରଧାନ, ଉର୍ମିଳା ଭୋଇ, ଚେତାବତୀ ଭୋଇ, ଶ୍ରୀୟା ମାଝୀ, ଭଗବତୀ ଭୋଇ, ରୋହିଣୀ ମେହେର ଓ ଗୌରୀ ମେହେରଙ୍କ ସମେତ ବହୁ ମହିଳା ଭକ୍ତ, ଗ୍ରାମବାସୀ ଏବଂ ବ୍ଲକସ୍ତରୀୟ ଶତାଧିକ ଭାଗବତପ୍ରେମୀ ଭକ୍ତ ଶ୍ରଦ୍ଧା ଓ ଭକ୍ତିର ସହ ଭାଗବତ ଶ୍ରବଣ କରିଥିଲେ।
ଏହି ଅବସରରେ ଶରତ ଚନ୍ଦ୍ର ହୋତା, ଗୋପାଳ ବାରିକ, ଚିନ୍ତାମଣି ବିଶ୍ୱାଳ, ଈଶ୍ୱର ଚନ୍ଦ୍ର ଖମାରୀ, ଜୟଲାଲ ଖମାରୀ, ସଉକି ଖମାରୀ ଓ ଅକୁର ପ୍ରଧାନଙ୍କ ସମେତ ଅନ୍ୟ ଭାଗବତ ଗାୟକମାନେ ଭଗବତ୍ ପାଠ କରିଥିଲେ। ସନ୍ଧ୍ୟା ଆଳତି ପରେ ବିଜାହାଏନ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଭଜନ ଓ କୀର୍ତ୍ତନ ପରିବେଷଣ କରାଯାଇଥିଲା।
ଭାଗବତର ଏକାଦଶ ସ୍କନ୍ଧର ଦ୍ୱାତ୍ରିଂଶ ଅଧ୍ୟାୟରେ ଷଷ୍ଠ ଦିବସର ପାରାୟଣ ବିଶ୍ରାମ ନେଇଥିଲା। ଏହି ଦିନ ଜରାସନ୍ଧ ବଧ, ନିମି ରାଜାଙ୍କୁ ନବମୁନିଙ୍କ ଉପଦେଶ, ମହର୍ଷି ଦତ୍ତାତ୍ରେୟଙ୍କ ୨୪ ଗୁରୁ ଉପାଖ୍ୟାନ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଉଦ୍ଧବଙ୍କୁ କର୍ମ, ଭକ୍ତି ଓ ଜ୍ଞାନ ସମ୍ପର୍କିତ ଉପଦେଶ ଆଦି ପ୍ରସଙ୍ଗ ଆଲୋଚିତ ହୋଇଥିଲା। ଉପସ୍ଥିତ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳା, ଯଶ ଓ ଗୁଣଗାନକୁ ଏକାଗ୍ର ଚିତ୍ତରେ ଶ୍ରବଣ କରିଥିଲେ।
